ସୂର୍ଯ୍ୟ ପାଖରେ ପହଞ୍ଚିବ ମଣିଷ ! ଆସନ୍ତାକାଲି ନାସା ମହାକାଶକୁ ଉଦକ୍ଷେପଣ କରିବ ସୌରଯାନ, ବହୁ ରହସ୍ୟ ଉପରୁ ଉଠିବ ପରଦା, ଶେଷ ମୁହୁର୍ତ୍ତରେ ବଦଳିଲା ତାରିଖ ।

67

କନକ ବ୍ୟୁରୋ : ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଉଦକ୍ଷେପଣ । ଦିନକ ପରେ ମହାକାଶ ଯିବ ନାସାର ସୌରଯାନ । ସକଳ ଶକ୍ତିର ଆଧାରର ଶକ୍ତି ପରଖିବ ମଣିଷ  । ମଣିଷ ତିଆରି ଯାନ ପହଂଚିବ ସୂର୍ଯ୍ୟଙ୍କ ପାଖରେ । ସୂର୍ଯ୍ୟକୁ ନେଇ ଥିବା ଅନେକ ପରିକଳ୍ପନା, ରହସ୍ୟ ଉପରୁ ଉଠିବ ପରଦା ।  ମହାକାଶ ବିଜ୍ଞାନର ସବୁଠୁ ଚର୍ଚ୍ଚିତ ଅନୁଷ୍ଠାନ ନାସା ରବିବାର ପ୍ରେରଣ କରିବାକୁ ଯାଉଛି ପାର୍କର ସୋଲାର ପ୍ରୋବ୍ । ଏଥି ପାଇଁ ଆରମ୍ଭ ହୋଇଯାଇଛି କାଉଂଟ ଡାଉନ । ଶନିବାର ଦିନ ଏହା ଉଦକ୍ଷେପଣ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୂହୂର୍ତରେ ଏହାକୁ ସ୍ଥଗିତ ରଖିଥିଲେ ବୈଜ୍ଞାନିକ । ଏନେଇ ନାସା ପକ୍ଷରୁ ଟ୍ୱିଟ୍ କରି ସୂଚନା ମଧ୍ୟ ଦିଆଯାଇଛି ।

ତାରିଖ: ଅଗଷ୍ଟ ୧୨, ୨୦୧୮, ରବିବାର । ସମୟ : ଭୋର ୩ଟା ୩୧ । ଆକାଶ ଚିରି ଯେତେବେଳେ ଏହି ସୋଲାର୍ ପ୍ରୋବ୍ ସୂର୍ଯ୍ୟଙ୍କ ଆଡକୁ ମାଡି ଯିବ, ସେତେବେଳେ ମାନବ ସଭ୍ୟତାରେ ସୃଷ୍ଟି ହେବ ଏକ ନୂଆ ଇତିହାସ । ଆମେରିକାର ଫ୍ଲୋରିଡାରୁ ଉଦକ୍ଷେପଣ ହେବ ବହୁ ପ୍ରତିକ୍ଷିତ ପାର୍କର ସୋଲାର ପ୍ରୋବ । ଏହି କାର ଆକାରରେ ଯାନକୁ ମହାକାଶକୁ ବୋହି ନେବ ଶକ୍ତିଶାଳୀ ଡେଲଟା-୪ ରକେଟ ।

ପୃଥିବୀଠାରୁ ଆକାରରେ ପ୍ରାୟ ୧୩ ଲକ୍ଷ ଗୁଣ ବଡ ସୂର୍ଯ୍ୟ, ଆମ ପାଇଁ ସବୁ ଶକ୍ତିର ଉତ୍ସ ହୋଇ ରହିଛି । ଏହାର ବହୁ ତଥ୍ୟ ଏବେ ବି ରହସ୍ୟମୟ ହୋଇ ରହିଛି । ଏହି ପାର୍କର ସୋଲାର ପ୍ରୋବ ସୂର୍ଯ୍ୟର ପ୍ରଭାମଣ୍ଡଳର ରହସ୍ୟ ବୁଝିବା ସହ ସୌର ବାୟୁମଣ୍ଡଳ ଉପରେ ଅଧିକ ଗବେଷଣା କରିବ । ସୂର୍ଯ୍ୟର ପୃଷ୍ଠର ତାପମାତ୍ରାଠାରୁ ୩୦୦ ଗୁଣ ଅଧିକ ଉତ୍ତପ୍ତ ହେଉଛି ସୌର ପ୍ରଭାମଣ୍ଡଳ ବା କୋରୋନା । ଏହା ହେଉଛି ଶକ୍ତିଶାଳୀ ପ୍ଲାଜମା ଓ ଶକ୍ତି କଣିକାର ଘଂଟା ଚକଟା ହେଉଥିବା ସ୍ଥାନ । ତେବେ ଏହି ସବୁ ଏବେ ବି ବହୁ କଥା ଅସ୍ପଷ୍ଟ । ଏନେଇ ଅଧିକ ଗବେଷଣା କରିବ ନାସାର ଏହି ଯାନ ।

ତେବେ କ’ଣ ରହିଛି ଯାନର ବିଶେଷତ୍ୱ ? ଏବଂ କେତେ ଦିନରେ ପହଂଚିବ ଏହି ଯାନ ? ସୂର୍ଯ୍ୟ ପୃଷ୍ଠର ଏତେ ପରିମାଣର ତାପକୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରକାର ତାପରୋଧୀ ଖୋଳପା ଏହି ଯାନ ଉପରେ ରହିଛି । ଏହାର ମୋଟେଇ ପ୍ରାୟ ୪.୫ ଇଂଚ । ଏହି ମହାକାଶ ଯାନ ପୃଥିବୀ ଛାଡିବାର ପ୍ରାୟ ୭ ବର୍ଷ ୬ ମାସ ପରେ ସୂର୍ଯ୍ୟର ନିକଟତମ ସ୍ଥାନରେ ପହଂଚିବ । ଏଥି ପାଇଁ ପାର୍କର ପ୍ରୋବକୁ ପ୍ରାୟ ୧୫ କୋଟି କିଲୋମିଟର  ବାଟ ଅତିକ୍ରମ କରିବାକୁ ପଡିବ । ଏହା ବର୍ତମାନ ମଣିଷ ତିଆରି କରିଥିବା ସବୁଠାରୁ ଦ୍ରୁତତମ ଯାନ ବୋଲି କୁହାଯାଉଛି ।