ଅସିହା ପାହାଡ ଲୁଟି ନେଲା ଗ୍ୟାଙ୍ଗଷ୍ଟର ! ଉଠିଲା ପ୍ରଶ୍ନ- କ’ଣ କରୁଥିଲେ ସ୍ଥାନୀୟ ବିଧାୟକ, ଟିଟୋ ସହ ଅମର ଶତପଥୀଙ୍କ ଲିଙ୍କ ନେଇ ତେଜିଲା ରାଜନୀତି ।

49

ନେତାଙ୍କ ସହ ଟିଟୋର ଲିଙ୍କ୍ ନେଇ ଆସିଲା ଅଭିଯୋଗ । ଟିଟୋ ଲିଙ୍କ ନେଇ କଂଗ୍ରେସ ପରେ ବିଜେପି ଆଣିଲା ବିଧାୟକ ଅମରପ୍ରସାଦ ଶତପଥୀଙ୍କ ବିରୋଧରେ ସଂଗୀନ ଅଭିଯୋଗ  । ଅଭିଯୋଗ ହୋଇଛି, ବଡଚଣା ଅଂଚଳର ଅସିଆ ପାହାଡ଼କୁ ଖୋଳି ଟିଟୋ ବିକ୍ରି କରି ଦେଇଥିବା ପଛରେ ରହିଛି ଅମରଙ୍କ ସମର୍ଥନ । ପାହାଡ଼ ଖୋଳି ଟ୍ରକ ଟ୍ରକ ମୋରମ ଚୋରା ଚାଲାଣ କରାଯାଉଥିଲା, ହେଲେ ସ୍ଥାନୀୟ ବିଧାୟକ କିପରି ଏତେ ବଡ଼ ଅପରେସନ୍ ସଂପର୍କରେ ସୁରାକ ପାଇନଥିଲେ । କାହିଁକି ଥାନାରେ ଏତଲା ଦିଆଯାଇନି, କାହିଁକି ବିଧାନସଭାରେ ଏ ନେଇ ପ୍ରଶ୍ନ ଉଠାଯାଇନି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗ ଅମୂଳକ, ତୁଚ୍ଛା ରାଜନୀତି ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଅମର ।

ଗତ କିଛି ଦିନ ତଳେ ସାମ୍ନାକୁ ଆସିଥିଲା ‘ଅସିଆ’ ପାହାଡ଼ର ସତ । ଗ୍ୟାଙ୍ଗଷ୍ଟର ଟିଟୋର ଲୋଲୁପ ଦୃଷ୍ଟି ପଡ଼ିବା ପରେ କିପରି ଶ୍ରୀହୀନ ହୋଇପଡ଼ିଛି ଏହି ପର୍ବତ, ସେନେଇ ସତ ପଦାକୁ ଆସିଥିଲା । ନାଇଟ ଅପରେସନ କରି ଲୁଟି ନିଆଯାଇଛି କୋଟି କୋଟି ଟଙ୍କାର ମୋରମ । ଅର୍ଥାତ୍ ରାତିରେ ପାହାଡ଼ ଖୋଳା ହୁଏ, ଆଉ ସେହି ରାତିରେ ହିଁ ହୋଇଯାଏ ଚୋରା ଚାଲଣ । ‘ପାହାଡ଼ ପାଦଦେଶରେ ପହରା ଦେଉଥିଲେ ଗ୍ୟାଙ୍ଗଷ୍ଟରର ବଛା ବଛା ଗୁଣ୍ଡା । ଟିଟୋ ନାଁରେ ଅସିଆ ପାହାଡରୁ ଚାଲୁଥିଲା ମୋରମ ଚୋରାଚାଲଣ  । ଅଭିଯୋଗ ହୋଇଛି, କେହି ମୁହଁ ଖୋଲିଲେ ଟିଟୋର ଗୁଣ୍ଡାମାନେ ଦେଖାଉଥିଲେ ବନ୍ଧୁକର ଭୟ  । ଟିଟୋ ସହ ନେତାଙ୍କ ସଂପର୍କ ଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।