ପପୁଙ୍କ ହସରେ ବ୍ରେକ୍ !

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଓ ଓଲିଉଡର ଚିଟଫଣ୍ଡ କନେକ୍ସନକୁ ନେଇ ପପୁ ପମପମଙ୍କ ଭୂମିକା ସନ୍ଦେହଘେରକୁ ଆସୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଜୟୀ । ଓଲିଉଡର ଏହି ବର୍ଷିଆନ୍ ହାସ୍ୟ ଅଭିନେତା ବି ଜାଣିଥିଲେ, ପପୁ ଓ ଓସ୍କାରକୁ ନେଇ କିଛି ଭିତିରି କଥା । ଜୟୀ କହିଛନ୍ତି ନେଡି ଗୁଡ କହୁଣିକୁ ବୋହିଗଲାଣି । ଅର୍ଥାତ୍ କଥା ଆଗକୁ ବଢିଯାଇଛି । ଏହା ସହ ସିଧାସିଧା ଜୟୀ କହିଛନ୍ତି, ପ୍ରଯୋଜକ ହୋଇ ନିଜେ କିଛି ବୁଝୁନଥିଲେ ପ୍ରଭାସ, ସବୁଥିରେ ମୁଣ୍ଡ ପୁରାଉଥିଲେ ପପୁ ।

ଓସ୍କାର ସହ ଲିଙ୍କ ନେଇ ଦିନକୁ ଦିନ ଛନ୍ଦି ହୋଉ ପଡୁଛନ୍ତି ପପୁ ପମପମ୍ । ପାଲଟିଯାଇଛନ୍ତି କଂଟ୍ରୋଭର୍ସି କମେଡିଆନ୍ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ । ୨୦୧୨, ଜାନୁଆରୀ ୨ ତାରିଖରେ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନାଁ ଥିଲା ପପୁ ପମ୍ ପମ୍ ନାଇଟ୍ । ଆଉ ଏହି କାର୍ଯ୍ୟକ୍ରମରେ ଓଲିଉଡର କମେଡିଆନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇଥିଲେ ଓଲିଉଡର ଆଗଧାଡିର କମେଡିଆନ୍ । ଆଉ ସେମାନଙ୍କୁ ସମ୍ମାନିତ କରିଥିଲେ ଓସ୍କାର ଖଳନାୟକ ପ୍ରଭାସ ରାଉତ । ପପୁ ପମ୍ ପମ୍ ନାଇଟର ହାଇଲାଇଟ୍ ସାଜିଥିଲେ ପ୍ରଭାସ । ୨୦୧୨ ବେଳକୁ ପ୍ରଭାସ ବନିଯାଇଥିଲେ ଓଲିଉଡର ଜଣେ ଆଗଧାଡିର ପ୍ରଯୋଜକ । ଆଉ ତାଂକ ପାଖେପାଖେ ଥିଲେ ପପୁ ପମ୍ ପମ୍ ।