ଓଡିଶାରେ ଦ୍ୱିତୀୟ ସଦନ ବିଧାନ ପରିଷଦ ଗଠନ ପାଇଁ ଆନ୍ଧ୍ର ଓ ବିହାର ଯିବ କମିଟି ! ବିରୋଧୀ କହିଲେ, ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ ପାଇଁ ଯୋଜନା କରୁଛି ବିଜେଡି ସରକାର

35

କନକ ବ୍ୟୁରୋ : ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସଂପୃକ୍ତ କମିଟି ଆନ୍ଧ୍ରପ୍ରଦେଶ ଓ ବିହାର ଯାଇ ସେଠାରେ ଏହି ପ୍ରକ୍ରିୟା ଅନୁଧ୍ୟାନ କରିବ । ପୂର୍ବରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ ଏହି କମିଟି ବିଧାନ ପରିଷଦ ଗଠନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲା । ଏହି ରାଜ୍ୟ ଗୁଡିକରେ ପରବର୍ତ୍ତୀ ସମୟରେ ବିଧାନ ପରିଷଦ ଗଠନ ହୋଇଥିବାରୁ ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସେଠାକାର ପ୍ରକ୍ରିୟା ଅନୁଧ୍ୟାନ ଉପରେ ଓଡିଶା ସରକାର ଜୋର୍ ଦେଇଛନ୍ତି । ତେବେ ବିରୋଧୀ କହିଛନ୍ତି. ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ସରକାର ନୂଆ ଚାଲ ଖେଳିଛନ୍ତି ।

ଉତ୍ତରପ୍ରଦେଶ, କର୍ଣ୍ଣାଟକ, ବିହାର, ଜାମ୍ମୁ-କାଶ୍ମୀର, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ଓଡ଼ିଶାରେ ମଧ୍ୟ ବିଧାନପରିଷଦ ଗଠନ ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି । ବିଧାନପରିଷଦ ଗଠନ ପାଇଁ ହୋଇଥିବା କମିଟି ଆନ୍ଧ୍ର ପ୍ରଦେଶ ଓ ବିହାର ଗସ୍ତ କରି ଏନେଇ ଅନୁଧ୍ୟାନ କରିବ । ମୁଖ୍ୟମନ୍ତ୍ରୀ ଏ ସଂପର୍କୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

୨୦୧୫ ମସିହାରୁ ଗଠନ ହୋଇଥିବା ଏହି କମିଟି ପୂର୍ବରୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଯାଇ ବିଧାନ ପରିଷଦର ପ୍ରଣାଳୀ ଓ କାର୍ଯ୍ୟଧାରା ନେଇ ଅନୁଧ୍ୟାନ କରିଥିଲେ । ଏହି କ୍ରମରେ ଆଉ ଦୁଇଟି ରାଜ୍ୟ ଯାଇ ଏନେଇ ଅନୁଧ୍ୟାନ କରିବ ଏହି କିନ୍ତୁ ପ୍ରଶ୍ନ ଉଠୁଛି ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କରିବା ପାଇଁ ଗୁଗଲି ଛାଡୁ ନାହାଁନ୍ତି ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥଇଥାନର ବାଟ ବାହାର କରିବା ପାଇଁ ବିଧାନ ପରିଷଦର ପରିକଳ୍ପନା କରୁ ନାହାଁନ୍ତି ତ ସରକାର ?

ଏହି ସବୁ ପ୍ରଶ୍ନ ଏଇଥିପାଇଁ ଉଠୁଛି କାରଣ, ଆଉ କେଇ ମାସ ପରେ ଆସୁଛି ସାଧାରଣ ନିର୍ବାଚନ । ଅନେକ ବିଧାୟକଙ୍କ ଟିକେଟକୁ ନେଇ ଆଶା-ଆଶଙ୍କା ବଢ଼ୁଥିବା ବେଳେ ଆଉ କିଛି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଅନେକ ଏମିତି ନେତା ଅଛନ୍ତି ଯେଉଁମାନେ ବିଧାୟକ କିମ୍ବା ସାଂସଦ ହେବାର ସ୍ୱପ୍ନ ଦେଖୁଥିଲେ ବି ବିଧାନସଭା କିମ୍ବା ସଂସଦଠାରୁ ଦୂରେଇ ରହୁଛନ୍ତି । ସେହି ସବୁ ନେତାଙ୍କୁ ଏହି ବିଧାନ ପରିଷଦ ଗଠନର ଆଶା ଦେଖାଇ ସନ୍ତୁୁଷ୍ଟ କରିବାକୁ ଚାହୁଁଛି କି ବିଜେଡି । ତେବେ ଦେଖିବାର କଥା- ଏହି କମିଟି କିଭଳି ରିପୋର୍ଟ ଦେଉଛି ଏବଂ ବିଧାନ ପରିଷଦ ଗଠନ ନେଇ ସରକାର କେତେ ଶୀଘ୍ର ନିଷ୍ପତି ନେଉଛନ୍ତି ।