ସୀମା ଆରପଟେ ଏକାଠି ହେଉଛନ୍ତି ଆତଙ୍କୀ : ପ୍ରାୟ ଦେଢ ଶହ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି ପାକିସ୍ତାନ

496

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସୀମା ଆରପଟେ ଏକାଠି ହେଉଛନ୍ତି ଆତଙ୍କୀ । ପାକ୍ ଅଧିକୃତ କାଶ୍ମୀରରେ ପ୍ରାୟ ଦେଢ ଶହ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି ପାକିସ୍ତାନ । ଏନେଇ ଗୁଇନ୍ଦା ସୂଚନା ଦେବା ପରେ ହାଇଆଲର୍ଟରେ ଭାରତୀୟ ସେନା । ଏଫଏଟିଏଫ୍ ର ମେ ୨୦୧୯ ଡେଡଲାଇନ ଅନୁସାରେ ପାକିସ୍ତାନରେ ଗତ ମେ ମାସ ଯାଏଁ ପୁରା ଥମି ଯାଇଥିଲା ଆତଙ୍କୀ ଶିବିର । ହେଲେ ଜାମ୍ମୁକାଶ୍ମୀରରେ ସୈନ୍ୟ ବଳ ବଢିବା , ଧାରା ୩୭୦ ହଟିବା ପରେ ପରେ ଏବେ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଗୁଡିକରେ ପୁଣି ଆରମ୍ଭ ହୋଇଯାଇଛି ହଲଚଲ ।

ପିଓକେ ସୀମାରେ ଥିବା ୧୨ ରୁ ଅଧିକ ଆତଙ୍କୀ କ୍ୟାମ୍ପକୁ ପୁଣି ସକ୍ରିୟ କରିଦେଇଛି ଇସଲାମାବାଦ । ଗତ ସପ୍ତାହକ ମଧ୍ୟରେ ଏହି କ୍ୟାମ୍ପ ଗୁଡିକରେ ଆତଙ୍କୀଙ୍କ ସଂଖ୍ୟା ବଢିବା ଦେଖିବାକୁ ମିଳିଥିବା ଗୁଇନ୍ଦା ସୂଚନା ଦେଇଛି । ପିଓକେକୁ ଲାଗି ପାକିସ୍ତାନ ପଟେ ଥିବା କୋଟଲି, ରାବଲକୋଟ, ୱାଘା ଏବଂ ମୁଜାଫରାବାଦରେ ଏହି ଆତଙ୍କୀ ଶିବିର ରହିଛି । ପ୍ରତ୍ୟକ୍ଷ ରୂପରେ ପାକ୍ ସେନାର ସହଯୋଗରେ ଏହି କ୍ୟାମ୍ପ ପୁଣି ସକ୍ରିୟ ହୋଇଥିବା ଭାରତୀୟ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତୀୟ ସେନାକୁ ହାଇଆଲର୍ଟରେ ରଖାଯାଇଛି ।

୨ ଦିନ ତଳେ ପାକ୍ ସଂସଦରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବୟାନ୍ ରଖିଥିଲେ, ଯେ ଏବେ ଯଦି ଭାରତରେ ପୁଲୱମା ପରି ହମଲା ଭାରତରେ ହୁଏ, ତେବେ ଇସଲାମାବାଦ ଏଥିପାଇଁ ଦାୟୀ ରହିବନି । ଇମ୍ରାନଙ୍କ ଏହି ବୟାନ୍ ପରେ ପିଓକେରେ ଜୈସ ଏ ମହମ୍ମଦ, ଲସ୍କର ଏ ତୋଇବାକୁ ଆତଙ୍କୀ ଶିବିରର ଲଂଚ ପ୍ୟାଡକୁ ପୁଣି ସକ୍ରିୟ କରିବାକୁ ଆଇଏସଆଇ ଖୋଲା ଅନୁମତି ଦେଇଦେଇଛି । । ଜୈସ୍,ଏଲଇଟି ଓ ତାଲିବାନର ପ୍ରାୟ ୧୫୦ କୁଖ୍ୟାତ ଆତଙ୍କି ଏବେ ପିଓକେରେ ଏକାଠିହୋଇଛନ୍ତି । ଏପରି ଗୁଇନ୍ଦା ରିପୋର୍ଟ ପରେ ଏବେ ଜାମ୍ମୁକାଶ୍ମୀରରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଦୋଭାଲ୍ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି ।