ଭାରତ ଆକାଶରେ ଚକ୍କର କାଟିଲା ପାକିସ୍ତାନ ଚପର । ହଠାତ୍ ଗୁଳିବର୍ଷା କଲେ ଯବାନ, ଅଘଟଣ ପୂର୍ବରୁ ଖସି ପଳାଇଲେ ପାକିସ୍ତାନୀ

29

କନକ ବ୍ୟୁରୋ : ସୀମା ଲଙ୍ଘିଲା ପାକିସ୍ତାନ । ବର୍ଡର ସେପଟୁ ଗୁଳିଗୋଳା ବର୍ଷଣ କରୁଥିବା ପାକିସ୍ତାନ ଆଜି ଆଉ ଏକ ପାଦ ଆଗକୁ ଯାଇ ଆକାଶରେ ସୀମା ଉଲ୍ଲଙ୍ଘନ କରିବାକୁ ବି ପଛାଇ ନାହିଁ । ପୁଂଚ ସେକ୍ଟରରେ ଲାଇନ ଅଫ କଂଟ୍ରୋଲ ଉପରେ ପଶି ଆସିଥିଲା ପାକିସ୍ତାନୀ ହେଲିକପଟର । ତୁରନ୍ତ ଏହା ଭାରତୀୟ ସେନାର ନଜରକୁ ଆସିଲା । ଏବଂ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା । ହେଲିକପଟର ଉପରକୁ ଗୁଳି ଚଳାଇବା ନେଇ ମଧ୍ୟ ଖବର ହସ୍ତଗତ ହୋଇଛି । ତେବେ ହେଲିକପଟରଟିକୁ ଘଉଡେଇବା ପାଇଁ ଗୁଳି ଚଳାଯାଇଥିଲା ବୋଲି ସୂଚନା ମିଳିଛି । କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏହି ହେଲିକପଟରରେ ପାକ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ଥିଲେ । ତେବେ ଏନେଇ କିଛି ସ୍ପଷ୍ଟ ପ୍ରମାଣ ମିଳିନାହିଁ । ପାକିସ୍ତାନ ପକ୍ଷରୁ ମଧ୍ୟ ଏଯାଏଁ କୌଣସି ସ୍ପଷ୍ଟି କରଣ ଦିଆଯାଇନାହିଁ ।

ଆକାଶମାର୍ଗରୁ ଆତଙ୍କର ଆଭାସ ନେଇ ଶତ୍ରୁ ସୀମା ଆଡୁ ମାଡ଼ି ଆସୁଥିବା ଚପରକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । ପାକ୍ ଅଧିକୃତ କାଶ୍ମୀର ପଟୁ ସୀମା ଡେଇଁ ଉଡି ଆସୁଥିବା ଧଳା ରଙ୍ଗର ଚପର, କିଛି ଅଘଟଣ ଘଟଣାଇବା ପୂର୍ବରୁ ଫେରିଯାଇଛି ନିଜ ମାଟିକୁ । କାରଣ ଏହି ଚପରକୁ ଟାର୍ଗେଟ୍ କରି ଯେତେବେଳେ ଭାରତୀୟ ଯବାନ ଫାଏରିଂ କରିବା ଆରମ୍ଭ କରିଦେଲେ, ଜୀବନ ବିକଳରେ ଫେରିଯାଇଛି

ଦିନ ୧୨ଟା ୧୦ । କାଶ୍ମୀର ପୁଂଜ୍ ସେକ୍ଟରରେ ସୀମା ପାର ହେଇ ଭାରତୀୟ ସୀମାର ପ୍ରାୟ ୭ଶହ ମିଟର ଯାଏଁ ପଶି ଆସିଥିଲା ପାକିସ୍ତାନ ପଟରୁ ଧଳା ରଙ୍ଗର ଚପର । ଦ୍ୱୀପାକ୍ଷିକ ଚୁକ୍ତିର ଖୋଲାଖୋଲି ଉଲଂଘନ କରି ଭାରତର ଆକାଶରେ ଘୁରି ବୁଲୁଥିବା ଚପର ଉପରେ ଯେତେବେଳେ ଭାରତୀୟ ଯବାନଙ୍କ ନଜର ପଡ଼ିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଆରମ୍ଭ କରିଦେଲେ କାର୍ଯ୍ୟାନୁଷ୍ଠାନ । ଚପରକୁ ଟର୍ଗେଟ୍ କରି ଆରମ୍ଭ ହେଲା ଫାଏରିଂ ।
ଠିକ୍ ଗୋଟିଏ ଦିନ ପୂର୍ବରୁ ଜାତିସଂଘରେ ଯେତେବେଳେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ସାରା ବିଶ୍ୱକୁ ଅବଗତ କରୁଥିଲେ, ତାର ଠିକ୍ ଗୋଟିଏ ଦିନ ପରେ ଭାରତୀୟ ସୀମାରେ ଉଡୁଛି ପାକିସ୍ତାନୀ ଚପର । ଯାହା ପାକିସ୍ତାନର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ।

ଭାରତ-ପାକିସ୍ତାନର ଦ୍ୱିପାକ୍ଷକ ଚୁକ୍ତି ଅନୁସାରେ-
– ରୋଟାରୀ ୱିଙ୍ଗ ଏୟାରକ୍ରାଫ୍ଟ ଆକାଶ ସୀମାଠାରୁ ଗୋଟିଏ କିଲୋମିଟର ଦୂର ଯାଏଁ ଉଡି ପାରିବ ।
– ଲଢ଼ୁଆ ବିମାନ ଆକାଶ ସୀମାଠାରୁ ଅତି କମ୍ରେ ୧୦ କିଲୋମିଟର ଦୂର ଯାଏଁ ଉଡିପାରିବ ।
ହେଲେ ଚୁକ୍ତିର ଖୋଲାଖୋଲି ଉଲଂଘନ କରି ମାଡି ଆସିଛି ପାକିସ୍ତାନୀ ଚପର । ପାକିସ୍ତାନ ପାଇଁ ଏହା ପ୍ରଥମ ଥର ନୁହେଁ । ଗତ ଫେବୃୟାରୀମାସରେ ମଧ୍ୟ ଅନୁରୁପ ଭାବରେ ପାକ୍ ସେନାର ଏକ ହେଲିକପ୍ଟର ଭାରତୀୟ ସୀମାକୁ ଅତିକ୍ରମ କରିଥିଲା ।