ଭାରତୀୟ ସୀମାରେ ପ୍ରବେଶ କଲା ପାକ୍ ବାୟୁସେନା ବିମାନ ! କଡ଼ା ଜବାବ ଦେଲା ଭାରତ

563

କନକ ବ୍ୟୁରୋ : ଭାରତୀୟ ସୀମାରେ ପ୍ରବେଶ କଲା ପାକିସ୍ତାନର ବାୟୁସେନା ବିମାନ । ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ବିମାନ ପ୍ରବଶେ କରିଛି । ହେଲେ ଭାରତୀୟ ସେନାର କଡ଼ା ଜବାବ ପରେ ଫେରିଗଲା ପାକ୍ ବିମାନ । ସୂଚନାଯୋଗ୍ୟ ପିଓକେରେ ଥିବା ଜୈଶର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତର ବାୟୁସେନା ହମଲା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ଭାରତୀୟ ସୀମାରେ ପାକ୍ ବିମାନ ପ୍ରବେଶ କରିବା ସହ ସୀମା ସ୍ଥିତ ସେନା ପୋଷ୍ଟ ଓ ସୀମାବର୍ତ୍ତି ଗାଁ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋର୍ଟାର ମାଡ କରିଛି । ଜାମ୍ମୁକାଶ୍ମୀର ସୀମାର ୧୫ଟି ଜାଗାରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିବା ଜଣାପଡିଛି ।

ସେପଟେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ । ତେବେ ବିମାନରେ ଥିବା ୨ଜଣ ପାଇଲଟ ସୁରକ୍ଷିତ ଅଛନ୍ତି କି ନାହିଁ ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବିମାନଟି କ୍ରାସ ହେବା ପରେ ପୁରାପୁରି ଜଳିଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ।ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।ଶ୍ରୀନଗର ଏୟାରବେସରୁ ବିମାନଟି ଉଡାଣ ଭରିଥିଲା ।