ବର୍ଷା କମିଲା, ଦୁଃଖ ବଢ଼ିଲା : ୧୬ ଜିଲ୍ଲା ପ୍ରଭାବିତ, ୪୬ ଲକ୍ଷ ଲୋକ କ୍ଷତିଗ୍ରସ୍ତ । ୩ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ । ଫୁଲୁଛି ଜଳକା, ଲୋକେ ଆତଙ୍କିତ

34

କନକ ବ୍ୟୁରୋ: ଦକ୍ଷିଣ ଓଡିଶା ପରେ ଏବେ ବାଲେଶ୍ୱର ସମେତ ଉତ୍ତର ଓଡିଶାରେ ପାଣି କମୁଥିଲେ ବି ବଢୁଛି ଦୁର୍ଦ୍ଦଶା । ବୁଢାବଳଙ୍ଗରେ ପାଣି କମିଛି, କିନ୍ତୁ ଏବେ ବି ଅନେକ ଅଂଚଳ ପାଣି ଘେରରେ ଅଛି । ବୁଢାବଳଙ୍ଗରେ ଜଳସ୍ତର କମୁଥିଲେ ବି ନଈକୂଳିଆ ଲୋକେ ଆତଙ୍କିତ ହୋଇଛନ୍ତି । ସେପଟେ ବସ୍ତା ଅଂଚଳରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଉଛି । ବସ୍ତା ଅଂଚଳର ପେଜଗଳା ଚଟାଣଠାରେ ରାସ୍ତା ଉପରେ ପ୍ରବାହିତ ହେଉଛ ୫ରୁ ୬ ଫୁଟର ବନ୍ୟାଜଳ । ଫଳରେ ବସ୍ତା- ବାଲିଆପାଳ ଯୋଗାଯୋଗ ବିଛିନ୍ନ ହୋଇଛି । ବାଲେଶ୍ୱର ସମେତ ଯାଜପୁର ଏବଂ ମୟୁରଜିଲ୍ଲାର କରଞ୍ଜିଆରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନେକ ଅଂଚଳ ପାଣିଘେରେ ରହିଛି ।

ତିନିଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ସ୍ଥିତି ଗୁରୁତର ହୋଇଥିଲା ବେଳେ ଆହୁରି ୧୩ଟି ଜିଲ୍ଲା କନ୍ଧମାଳ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହର, ଯାଜପୁର, ନୟାଗଡ଼, ବାଲେଶ୍ବର, ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲା ଆଂଶିକ ଭାବେ ତିତଲିରେ ପ୍ରଭାବିତ ହୋଇଛନ୍ତି। କେଉଁଠି ତିତଲି ସିଧାସଳଖ ପ୍ରକୋପ ଦେଖାଇଥିଲା ତ କେଉଁଠି ପରବର୍ତ୍ତୀ ସମୟରେ ବର୍ଷା ଓ ବନ୍ୟା ଲୋକଙ୍କୁ ବିପର‌୍ୟ୍ୟୟ ଭିତରକୁ୍ ଠେଲିଦେଇଛି। ସରକାରୀ ହିସାବ ଅନୁଯାୟୀ ମୋଟ ୧୬ଟି ଜିଲ୍ଲାର ୧୧୧ ବ୍ଲକ୍ ଅନ୍ତର୍ଗତ ୭୧୦୩ ଗ୍ରାମ ପ୍ରଭାବିତ ହୋଇଛି। ୪୬.୪୮ ଲକ୍ଷ ଲୋକ ସିଧାସଳଖ କ୍ଷତିଗ୍ରସ୍ତ ହୋଇଛନ୍ତି।

ବାତ୍ୟା ଓ ବନ୍ୟା ବହୁ ଘର ଉଜାଡ଼ି ଦେଇ ଲୋକଙ୍କୁ ବାସହରା କରାଇ ଦେଇଛି। ପୁଣି ରାସ୍ତାଘାଟ ଭାଙ୍ଗିରୁଜି ଯାଇଥିବାରୁ ଗମନାଗମନରେ ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି। ତିନିଟି ଜିଲ୍ଲାର ଅନେକ ଅଞ୍ଚଳରେ ବିଜୁଳି ସେବା ବାଧାପ୍ରାପ୍ତ ହୋଇଛି। ତେବେ ୧୬ଟି ଯାକ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଛି। ଫଳରେ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଆଜି ସନ୍ଧ୍ୟାରେ ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୪୯୦୯ ଘର ଭାଙ୍ଗିଛି। ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪୫୫ ଘର ଭାଙ୍ଗିଛି। ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ୧,୬୩,୮୬୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ପାଣି ଛାଡ଼ିଲା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ସେହିପରି ୭ ଲକ୍ଷରୁ ଅଧିକ ଗୃହପାଳିତ ପଶୁ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ପହଞ୍ଚାଇବା ପ୍ରଶାସନ ପାଇଁ ବତ୍ତର୍ମାନ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଯଦିଓ ପାଣି ଘେରରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଅଣାଯାଇଛି ବୋଲି ସରକାର ଦାବି କରିଛନ୍ତି, ତେବେ ରିଲିଫ୍ ଠିକ୍ ସମୟରେ ପହଞ୍ଚୁ ନ ଥିବା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି। ବହୁ ସ୍ଥାନରେ ଗଛ ପଡ଼ି ରାସ୍ତା ବନ୍ଦ ଥିବାରୁ ରିଲିଫ୍ ଗାଡ଼ି ବି ପହଞ୍ଚିପାରୁନି।

ଅପରପକ୍ଷରେ ସରକାର ଓ ପ୍ରଶାସନିକ କଳ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଆକାଶମାର୍ଗରୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଦୀର୍ଘ ତିନି ଘଣ୍ଟା ମୁଖ୍ୟମନ୍ତ୍ରୀ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ମନ୍ତ୍ରୀସ୍ତରୀୟ କମିଟିର ତିନି ଜଣ ସଦସ୍ୟ ମହେଶ୍ବର ମହାନ୍ତି, ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହ ଗତକାଲି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଯାଇ ରିଲିଫ୍ ଓ ପୁନରୁଦ୍ଧାର କାର‌୍ୟ୍ୟ ତଦାରଖ କରିଛନ୍ତି। ଆଉ ଦୁଇ ଜଣ ମନ୍ତ୍ରୀ ଶଶୀଭୂଷଣ ବେହେରା ଓ ରମେଶ ଚନ୍ଦ୍ର ମାଝୀ କନ୍ଧମାଳ ଯାଇ କାର୍ଯ୍ୟର ତଦାରଖ କରୁଛନ୍ତି।

ଭୁବନେଶ୍ବର ଫେରିଲା ପରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସଚିବାଳୟରେ ସ୍ଥିତିର ସମୀକ୍ଷା କରିଥିଲେ। ଏହା ପରେ ୧୫ ଦିନ ରିଲିଫ୍ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ପାଇଁ ସମୟସୀମା ଦେଇଥିଲେ। ବୟସ୍କମାନଙ୍କୁ ଦୈନିକ ୬୦ ଟଙ୍କା ହିସାବରେ ଓ ପିଲାମାନଙ୍କୁ ଦୈନିକ ୪୫ ଟଙ୍କା ହିସାବରେ ସମସ୍ତ ପରିବାରକୁ ୩୦୦୦ ଟଙ୍କାରୁ ଅଧିକ ଟଙ୍କାର ରିଲିଫ୍ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେ୍ଦଶ ଅନୁଯାୟୀ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପିତ ହେବ। କ୍ଷତିଗ୍ରସ୍ତ ଅଞ୍ଚଳରେ ୯୦ ପ୍ରତିଶତ ସ୍ଥାନକୁ ୪୮ ଘଣ୍ଟା ଭିତରେ ଓ ବାକି ସ୍ଥାନକୁ ୩ରୁ ୫ ଦିନ ଭିତରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହେବ। ୪୮ ଘଣ୍ଟା ଭିତରେ ସବୁ ବ୍ଲକ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଆଜି ସୁଦ୍ଧା ସବୁ ନଳକୂପର ମରାମତି ଶେଷ ହେବ। ସହରାଞ୍ଚଳରେ ୨୪ ଘଣ୍ଟା ଭିତରେ ଜଳ ଯୋଗାଣ ପୁନଃସ୍ଥାପିତ ହେବ। ଆବଶ୍ୟକ ସ୍ଥଳରେ ଜେନସେଟ୍ ଲଗାଇ ଜଳଯୋଗାଣ କରାଯିବ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ଘର ଭଙ୍ଗା ଓ ଫସଲ ହାନି ନେଇ ରିପୋର୍ଟ ପ୍ରସ୍ତୁତ ହେବ।