ଗଡକରୀଙ୍କ ‘ଗଡବଡ’ ବୟାନ! ତୀର ମାରୁଛନ୍ତି, ହେଲେ ବାଜୁଛି କାହାକୁ?

393

କନକ ବ୍ୟୁରୋ : ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନକୁ ନେଇ ଏବେ ବିରୋଧୀ ଶିବିରରେ ଚର୍ଚ୍ଚା । ନୀତିନ ଗଡକରୀ ଗତ କିଛି ଦିନ ହେବ ଏମିତି କିଛି ବୟାନ ଦେଇଛନ୍ତି ଯାହା ମୋଦି ସରକାରଙ୍କୁ ବ୍ୟାକଫୁଟକୁ ଠେଲି ଦେଉଥିବା ବେଳେ ବିଜେପି ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ ଦଳକୁ ଖୋରାକ ଯୋଗାଉଛି । ଆଉ ମୋଦି ସରକାରଙ୍କ ଏହି ଅବୁଝା ମନ୍ତ୍ରୀଙ୍କୁ ନେଇ ଏବେ ଦେଶରେ ଚାରିଆଡେ ଚର୍ଚ୍ଚା ।

ଗତକାଲି ବିଜେପିର ଏହି ବରିଷ୍ଠ ନେତା ଏମିତି ଏକ ବୟାନ ଦେଇଛନ୍ତି ଯାହା ମୋଦି ସରକାରଙ୍କୁ ଅଡୁଆରେ ପକାଇଛି । କେବଳ ଅଡୁଆରେ ପକାଇନି ବରଂ ବିରୋଧୀଙ୍କୁ ମଧ୍ୟ ବେଶ ସୁହାଇଛି । ହଜାର ହଜାର ଲୋକଙ୍କ ସାମ୍ନାରେ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତିକୁ ମନେପକାଇ ଗଡକରୀ କହିଥିଲେ, ସ୍ୱପ୍ନ ଦେଖାଉଥିବା ନେତାଙ୍କୁ ଲୋକେ ଭଲ ପାଇଥାନ୍ତି । କିନ୍ତୁ ଦେଖାଇଥିବା ସ୍ୱପ୍ନ ଯଦି ପୂରଣ ନ ହୁଏ ତେବେ ଲୋକେ ମାଡ ମାରିବାକୁ ମଧ୍ୟ ପଛାଇ ନାହାନ୍ତି । ତେଣୁ ଲୋକଙ୍କୁ ସେହି ସ୍ୱପ୍ନ ଦେଖାଅ ଯାହାକୁ ପୂରଣ କରି ପାରିବ । ମୁଁ ସେହି ସ୍ୱପ୍ନ ଦେଖାଇବା ବ୍ୟକ୍ତି ନୁହେଁ । ଆଉ ଏଭଳି କହି ସ୍ୱପ୍ନ ଦେଖାଉଥିବା ନେତାଙ୍କୁ ଟାର୍ଗେଟ କରିଥିଲେ ନୀତିନ ।

ତେବେ ନୀତିନଙ୍କ ଏହି ବୟାନ ବିରୋଧୀ ଶିବିରକୁ ବେଶ ସୁହାଇଛି । କାରଣ ପୂର୍ବରୁ ବିରୋଧୀ ଦଳ ଗୁଡିକ ମଧ୍ୟ ମୋଦି ସରକାର ମିଛ ସ୍ୱପ୍ନ ଦେଖାଉଥିବା ବାରମ୍ବାର କହି ଆସିଛନ୍ତି । ଆଉ ଏଭଳି ସମୟରେ ଗଡକରୀଙ୍କ ବୟାନ ବିରୋଧୀ ଦଳ ଗୁଡିକ ପାଇଁ ବଡ ଅସ୍ତ୍ର ଭାବେ ଉଭା ହୋଇଛି । ସିଧାସଳଖ ନହେଲେ ବି ଗଡକରୀଙ୍କ ଏହି ବୟାନ ମୋଦିଙ୍କ ପାଇଁ ଉଦ୍ଦିଷ୍ଟ ଏକଥା ବିରୋଧୀ ଶିବିରରେ ଚର୍ଚ୍ଚା ହେଉଛି ।


ଏହା ପୂର୍ବରୁ  ମଧ୍ୟ ଗତ ବର୍ଷ ଗଡକରୀଙ୍କ ଏମିତି ଏକ ବୟାନ ଆସିଥିଲା ଯାହା ମୋଦି ସରକାରଙ୍କୁ ଅଡୁଆ ଜାଲରେ ଛନ୍ଦି ଦେଇଥିଲା । ସେତେବେଳେ ନିର୍ବାଚନ ସମୟରେ ବଡ ବଡ ପ୍ରତିଶୃତି ଦେଇ କିଭଳି କ୍ଷମତାକୁ ଆସିହେବ ତାହାର ପର୍ଦ୍ଦାଫାଶ କରିଥିଲେ ଗଡକରୀ । କହିଥିଲେ, ଜନତାଙ୍କୁ ଲମ୍ବା ଚଉଡା ପ୍ରତିଶୃତି ଦେବାକୁ କିଛି ଲୋକ ଆମକୁ କହିଥିଲେ । କିନ୍ତୁ ଶାସନ କ୍ଷମତାକୁ ଆସିବା ପରେ ଯେତେବେଳେ ଲୋକମାନେ ସେହି ପ୍ରତିଶୃତି କଥା ମନେ ପକାଉଛନ୍ତି ସେତେବେଳେ ଲୋକଙ୍କ କଥା ଶୁଣି ହସିବା ସହ ସେଠାରୁ ଚାଲିଯାଉଛୁ ବୋଲି କହିଥିଲେ ଗଡକରୀ । ଆଉ ଏହି ବୟାନ ସେତେବେଳେ ରାଜନୀତିରେ ନିଆଁ ଲଗାଇଥିଲା । ଖାସକରି ବିଜେପିର ଅଚ୍ଛେଦିନ ସ୍ଲୋଗାନକୁ ଗଡକରୀଙ୍କ ଏହି ବୟାନ ଶକ୍ତ ଚାପୁଡା ଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

 ଏସବୁ ଭିତରେ ଯେତେବେଳେ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ବିଜେପି ପାଇଁ ସର୍ତକ ଘଣ୍ଟି ବଜାଇ ସାରିଛି ଓ ଦେଶର ବିଭିନ୍ନ ରାଜ୍ୟରେ ୨୦୧୪ ଭଳି ମୋଦି ମ୍ୟାଜିକ କାମ କରିବନି ବୋଲି ଚର୍ଚ୍ଚା ହେଉଛି ସେତେବେଳେ ଗଡକରୀଙ୍କ ବୟାନକୁ ରାଜନୈତିକ ମହଲରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ଖାସକରି ମୋଦିଙ୍କ ଲୋକପ୍ରିୟତାର ଗ୍ରାଫ୍ ଧୀରେ ଧୀରେ ଖସୁଥିବା ବେଳେ ଗଡକରୀଙ୍କୁ ୨୦୧୯ରେ ପ୍ରଧାନମନ୍ତ୍ରୀ ରେସରେ ସାମିଲ କରିବାକୁ ନାଗପୁର ଅଫିସରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।

୨୦୧୪ରେ ଯେଉଁ ସ୍ୱପ୍ନ ଦେଖାଇ ମୋଦି କ୍ଷମତାକୁ ଆସିଥିଲେ ତାହା ପୂରଣ ନ ହୋଇ ଥିବାରୁ ଦେଶରେ ବିଜେପି ବିପକ୍ଷରେ ସରକାର ବିରୋଧୀ ହାୱା ଆରମ୍ଭ ହୋଇଛି । ତେଣୁ ଏଭଳି ସ୍ଥିତିରେ ପୁଣିଥରେ କ୍ଷମତାକୁ ଫେରିବାକୁ  ବିଜେପି ସରକାରର ପ୍ରଚ୍ଛଦପଟରେ ଥିବା ଆରଏସଏସ ଗଡକରୀଙ୍କ ଭଳି ନିର୍ବିବାଦୀୟ ନେତାଙ୍କୁ ୨୦୧୯ରେ ନିର୍ବାଚନୀ ମୈଦାନରେ ଓହ୍ଲାଇପାରେ ବୋଲି ଖୁବ ଆଲୋଚନା ହେଉଛି । ଏହାଛଡା ନୀତିନଙ୍କ ନାଗପୁର ଅଫିସ ସହ ମଧ୍ୟ ବେଶ ଭଲ ଓ ପୁରୁଣା ସର୍ମ୍ପକ ।

ଏଭଳି ଯୋଜନା ପଛରେ ମଧ୍ୟ ଏକ ବଡ କାରଣ ରହିଛି, ଗୋଟିଏ ପଟେ ବିଜେପି ଓ ମୋଦି ସରକାରଙ୍କ ଲୋକପ୍ରିୟତା କମି କମି ଚାଲିଥିବା ବେଳେ ଟିଡିପି, ପିଡିପି ଭଳି ସହଯୋଗୀ ଦଳ ଗୁଡିକ ମଧ୍ୟ ଏନଡିଏର ହାତ ଛାଡଛନ୍ତି ଓ ଶିବସେନା ଭଳି ଦଳ ସହ ବିଜେପିର ସର୍ମ୍ପକରେ ଫାଟ ସୃଷ୍ଟି ହୋଇଛି । ସହଯୋଗୀ ଦଳ ଗୁଡିକର  ଅସନ୍ତୋଷ ବିଜେପି ପ୍ରତି କମ ଓ ମୋଦି ଆଣ୍ଡ କୋ ଉପରେ ଅଧିକ ରହୁଥିବା ଚର୍ଚ୍ଚା ହେଉଛି । ଏହାବାଦ ମୋଦି ଯେଉଁ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ନିର୍ବାଚନୀ ବୈତରଣୀ ପାର ହୋଇଥିଲେ ତାହା ପୂରଣ କରିବାରେ ମଧ୍ୟ ବିଫଳ ହୋଇଛି କେନ୍ଦ୍ର ସରକାର । ଯାହା ଆରଏସଏସକୁ ମଧ୍ୟ କ୍ଷୁବ୍ଧ କରିଛି । ତେଣୁ ଏଭଳି ସ୍ଥିତିରେ ଆରଏସଏସ ୨୦୧୯ରେ ନୂଆ ଚେହେରା ସହ ନିର୍ବାଚନକୁ ଆସିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଏହାବାଦ୍ ୨୦୧୯ରେ ଯଦି ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ନ ପାରେ ଓ ସହଯୋଗୀ ଦଳ ଗୁଡିକଙ୍କର ଆବଶ୍ୟକତା ପଡେ ତେବେ ସେଭଳି ସ୍ଥିତିରେ ମୋଦି ନୁହେଁ ବରଂ ଗଡକରୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଆରଏସଏସର ପ୍ରଥମ ପସନ୍ଦ ପାଲଟିପାରେ । କାରଣ ସହଯୋଗୀ ଦଳ ଭାବେ  ଶିବସେନା ମଧ୍ୟ ମହାରାଷ୍ଟ୍ରରୁ କେହି ନେତା ପ୍ରଧାନମନ୍ତ୍ରୀ ଆସନରେ ବସନ୍ତୁ ବୋଲି ଚାହୁଁଥିବା ଚର୍ଚ୍ଚା ହେଉଛି । ଏପରିକି ସହଯୋଗୀ ଦଳ ଗୁଡିକୁ ଏକାଠି କରିବାର ଫର୍ମୁଲା ଗଡକରୀଙ୍କୁ ବେଶ ଭଲଭାବେ ଜଣା । ତେଣୁ ଗଡକରୀଙ୍କୁ ୨୦୧୯ ନିର୍ବାଚନରେ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ଉପରେ ଏବେ ସମସ୍ତଙ୍କର ନଜର  ।