ପିଆଜ ଅଭାବୀ ବିକ୍ରୀର ଜଳଜଳ ଦୃଶ୍ୟ ପରେ ଫାଙ୍କି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କ ଚେଷ୍ଟା ! କହିଲେ, ଚାଷୀ ପାଉଛନ୍ତି ଉଚିତ୍ ପ୍ରାପ୍ୟ

42

କନକ ବ୍ୟୁରୋ: ସାରା ରାଜ୍ୟରେ ପିଆଜ ଚାଷୀ ଅଭାବୀ ବିକ୍ରୀର ଶିକାର ହେଉଥିବାବେଳେ, ସତ ସ୍ୱୀକାର କରିବାକୁ ସତସାହସ ଦେଖାଇ ନାହାନ୍ତି ସରକାର । କନକ ନ୍ୟୁଜ୍ କ୍ୟାମେରାରେ ଚାଷୀ, ପିଆଜ କିଲୋ ୫ଟଙ୍କାରେ ବିକ୍ରୀ କରୁଥିବା କହିଥିବାବେଳେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଠିକ ଦରରେ ପିଆଜ ବିକୁଛନ୍ତି ଚାଷୀ । ଏନେଇ ରିପୋର୍ଟ ଦେଇଛନ୍ତି ସରକାରଙ୍କ ସ୍ୱତନ୍ତ୍ର ତଦନ୍ତ ଟିମ୍ । ଆଉ ଚାଷୀ ଅଭାବୀ ବିକ୍ରୀର ଶିକାର ହେବା କେବଳ ଗଣମାଧ୍ୟମର ଅଭିଯୋଗ ।

ବଲାଙ୍ଗିର

ପିଆଜ କିଲୋ ୫ ଟଙ୍କାରେ ବିକ୍ରୀ କରୁଛନ୍ତି ବଲାଙ୍ଗିରର ଚାଷୀ । ଜିଲ୍ଲାର କଂଟାବାଞ୍ଜି, ବଂଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି ପିଆଜ ଚାଷୀ ।

ଦେବଗଡ

ଦେବଗଡ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଜିଲ୍ଲାର ସର୍ବାଧିକ ପିଆଜ ଉତ୍ପାଦନ ହେଉଥିବା ରିଆମାଳ ଅଂଚଳରେ ଘରେ ଖଟତଳେ ଗଡୁଛି ପିଆଜ । ବର୍ଷତମାମ କଷ୍ଟ କରି ପିଆଜ ଉତ୍ପାଦନ କରିଥିବା ଚାଷୀ କମ୍ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ।

କଳାହାଣ୍ଡି

ଯେଉଁ ପିଆଜର ଦାମ୍ ବଜାରରେ ୫୦ଟଙ୍କାରୁ ବି ଅଧିକ ହୋଇଯାଏ ସେହି ପିଆଜ ବସ୍ତା ଗଦାହୋଇ ରହିଛି ଚାଷୀଙ୍କ କ୍ଷେତରେ । କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କଠାରୁ ପିଆଜ କିଣିବାକୁ ବ୍ୟବସାୟୀଙ୍କର ଆଗ୍ରହ ନାହିଁ ।
ତେବେ ସାରା ରାଜ୍ୟରେ ପିଆଜ ଅଧିକ ଉତ୍ପାଦନ ହୋଇଥିବା ଅଂଚଳରେ ଚାଷୀଙ୍କ ସମସ୍ୟାକୁ ଫାଙ୍କି ଦେଇଛନ୍ତି ସରକାର । ସରକାରଙ୍କ ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତ ଟିମ୍ ସେମାନଙ୍କ ଦୁଃଖ ବୁଝିବା ପରିବର୍ତ୍ତେ ରିପୋର୍ଟ ଦେଇଛନ୍ତି ଯେ, ଚାଷୀ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ପାଉଛନ୍ତି ।

ଖାଲି ସେତିକି ନୁହେଁ, ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମଧ୍ୟ ଚାଷୀଙ୍କ ପାଖକୁ ନଯାଇ କେବଳ ପିଆଜ ସାଇତା ଗୃହ ବୁଲି ଚାଲି ଆସିଥିଲେ । ଆଉ ଆରଏମସି ଜରିଆରେ ଚାଷୀ ପିଆଜ କ୍ୱିଂଟାଲ୍ ପିଛା ୯୬୦ରୁ ୭୬୦ ଟଙ୍କାରେ ବିକ୍ରୀ କରୁଛନ୍ତି ବୋଲି ରିପୋର୍ଟ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅଭାବୀ ବିକ୍ରୀର ଅଭିଯୋଗ କରୁଥିବା ଚାଷୀଙ୍କୁ ଯଦି ତଦନ୍ତ ଟିମ୍ ଭେଟିଥାନ୍ତେ ତାହେଲେ କଣ ସତ ସାମ୍ନାକୁ ଆସିନଥାନ୍ତା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –