ଛତିଶଗଡ ସରକାରଙ୍କ ନିଆରା ଉଦ୍ୟମ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ କ୍ଷେତ୍ରରେ ଉତ୍ସାହିତ ପାଇଁ ଦିନିକିଆ ଜିଲ୍ଲାପାଳ ଭାବେ ଦେଲେ ନିଯୁକ୍ତି

17

କନକ ବ୍ୟୁରୋ : ବଲିଉଡ ଫିଲ୍ମ ‘ନାୟକ’ ଚଳଚିତ୍ରରେ ଦିନିକିଆ ମୁଖମନ୍ତ୍ରୀ ଭାବେ ବଲିଉଡ ଅଭିନେତା ଅନିଲ କାପୁରଙ୍କ ଅଭିନୟ ତ ଦେଖିଥିଲେ । ଏବେ ଆସନ୍ତୁ ନଜର ପକାଇବା ଦିନିକିଆ ଜିଲ୍ଲାପାଳର ରିୟଲ ଫିଲ୍ମ ଉପରେ । ଏହା କୌଣସି ସିନେମାର କାହାଣୀ ନୁହଁ, ହେଲେ ସିନେମା କାହାଣୀ ଠୁ ବି କିଛି କମ୍ ନୁହେଁ । ଛତିଶଗଡର ସମସ୍ତ ୨୭ଟି ଜିଲ୍ଲାରେ ୨୭ ଜଣ ଛାତ୍ରଛାତ୍ରୀ ଦିନକ ପାଇଁ ଜିଲ୍ଲାପାଳ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଧମତରି ଜିଲ୍ଲାର ସତ୍ୟମ ସିହ୍ନା । ସୁକୁମା ଜିଲ୍ଲାପାଳ ଭାବେ ଦାୟୀତ୍ୱ ନେଇ ଜିଲ୍ଲାପାଳଙ୍କ ସହ ସମସ୍ତ ସରାକାରୀ କାର୍ଯ୍ୟର ତଦାରଖ କରିଥିଲେ ସତ୍ୟମ । ତାଙ୍କ ମା’ ଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ଜିଲ୍ଲାପାଳଙ୍କ ସହକ୍ଷେତ୍ର ପରିଦର୍ଶନରେ ବାହାରିଥିଲେ ସତ୍ୟମ୍ । ମାଓ ଅଧ୍ୟୁଷିତ ଅଂଚଳରେ ସ୍ଥିତି ପରଖିବା ପରେ ଶିକ୍ଷା ଦ୍ୱାରା ହିଁ ସୁକୁମା ପରି ମାଓ ଅଧ୍ୟୁଷିତ ଅଂଚଳରୁ ମାଓ ସମସ୍ୟାର ମୁଳପୋଛ ହୋଇ ପାରିବ ବୋଲି ମତ ରଖିଛନ୍ତି ସତ୍ୟମ ।

ସେହିପରି ବସ୍ତର ଜିଲ୍ଲାରେ ଦିପ୍ତି ପାଇକରା ଏବଂ ରାୟପୁରରେ ଶ୍ରୀକ୍ରିତି ଦିୱାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଂଚି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଦିନଚର୍ଯ୍ୟା କେମିତି ରହେ ? କେମିତି ପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନ କରନ୍ତି ? ଲୋକଙ୍କ ଅଭିଯୋଗ ଶୁଣି କିଭଳି ନ୍ୟାୟ ନିଶାପ କରନ୍ତି? ତାହା ଜାଣିବାକୁ ଚାହିଁଥିଲେ ଯୁବ ଜିଲ୍ଲାପାଳ । ଯୁବ ପିଢିଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ଲାଗି ଏଭଳି ପଦକ୍ଷେପ ନେଇଛନ୍ତି ଛତିଶଗଡ ସରକାର । ୟୁଥ ସ୍ପାର୍କ ନାମକ ଏକ ପ୍ରତିଯୋଗିତ ଜରିଆରେ କଲେଜ ପଢୁଥିବା ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭ଜଣଙ୍କୁ ଚୟନ  କରି ଦିନିକିଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଥିଲେ । ୟୁ.ପି.ଏସ.ସି ଆଶାୟୀ ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ସହ ପ୍ରୋତ୍ସାହନ ଯୋଗାଇବା ଲାଗି ଏପରି ପଦକ୍ଷେପ ନିଆ ଯାଇଥିବା ଜଣାପଡିଛି ।