ପୁରୀ ବେଳାଭୂମି ପାଲଟିଛି ଓପନ ବାର୍! ରାତି ହେଲେ ଜମୁଛି ମଦୁଆଙ୍କ ଆଡ୍ଡା,ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

47

କନକ ବ୍ୟୁରୋ : ସମୁଦ୍ର କୂଳରେ ମଦର ଆସର । ପୁରୀ ବେଳାଭୂମିରେ ବାର୍ । ଦିନ ହେଉ ବା ରାତି ବିଚ୍ ପାଲଟୁଛି ଓପନ୍ ବାର୍ । ରମଣୀୟ ବେଳାଭୂମି ପାଇଁ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ ଜମୁଥିବାବେଳେ ଏବେ ସମୁଦ୍ର କୂଳରେ ମଦ୍ୟପ ଓ ନିଶାଖୋରଙ୍କ ଭିଡ ଜମୁଛି । ସ୍ୱର୍ଣ୍ଣାଭ ବେଳାଭୂମିରେ ଜମୁଛି ମଦର ଆସର । ଆଉ ଏମାନଙ୍କୁ ଖୋରାକ ଯୋଗାଉଛନ୍ତି ବୁଲା ମଦ ବିକାଳୀ । ବେଳାଭୂମିରେ ମଦର ଆସର ଜମୁଥିବା ଦେଖି ଏମାନଙ୍କ ନିକଟରେ ପହଂଚି ଯାଉଛନ୍ତି ମଦ ବିକାଳୀ । ଚଢା ଦରରେ ହେଲେ ବି ଏହାକୁ କିଣୁଛନ୍ତି ସମସ୍ତେ । ସେପଟେ ଏହାକୁ ନେଇ ଗଢି ଉଠିଲାଣି ଛୋଟ ଛୋଟ ଚାଳି କୁଡିଆ । ଯାହାକି ନିଶାଖୋରଙ୍କୁ ବେଶ ସୁହାଉଛି ।

ସେପଟେ ଏଭଳି ମଦର ଆସରକୁ ନାପସନ୍ଦ କରିଛନ୍ତି ପରିବାର ନେଇ ଆସୁଥିବା ପର୍ଯ୍ୟଟକ । ଏସବୁ ବାବଦରେ ପୁଲିସ ସବୁ ଜାଣି ମଧ୍ୟ ନୀରବ । ବେଳାଭୂମିରେ ସୁରକ୍ଷା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ମଦ ପିଇବା ପରେ ଯୁବକମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି । ପୁଣି ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ସମୁଦ୍ର କୂଳରେ ଏପରି ମଦର ଆସରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ପୁରୀ ଏସପି । ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସ୍.ପି । ପୁରୀ ବେଳାଭୂମିରେ ଯୁବକଙ୍କ ଏଭଳି ଖୋଲାଖୋଲି ମଦ୍ୟପାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।