ଠାକୁରଙ୍କୁ ଠକିଦେଲେ ଠକ ! ମହାପ୍ରଭୁଙ୍କ ହୁଣ୍ଡିରୁ ମିଳିଲା ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ଅଚଳ ବିଦେଶୀ ନୋଟ୍

24

କନକ ବ୍ୟୁରୋ: ଠାକୁରଙ୍କୁ ବି ଛାଡ଼ିଲେନି ଠକ । ବିମୁଦ୍ରାକରଣ ପରେ ମହାପ୍ରଭୁଙ୍କ ହୁଣ୍ଡିରେ ପ୍ରାୟ ୧୮ଲକ୍ଷର ଅଚଳ ନୋଟ୍ ପକାଇଥିଲେ । ଏସବୁକୁ ବ୍ୟାଙ୍କ ନେଲାନାହିଁ । ତେଣୁ ସେ ସବୁ ପୋଡ଼ାଯିବାକୁ ଯାଉଥିବା ବେଳେ ଏବେ ହୁଣ୍ଡିରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଅଚଳ ବିଦେଶୀ ନୋଟ୍ ମିଳିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏସବୁକୁ ଅଚଳ ବୋଲି ଦର୍ଶାଇ ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଦେଇଛି । ଏହି ଅଚଳ ନୋଟଗୁଡ଼ିକ ମଧ୍ୟରେ ପାଖାପାଖି ୧୫ଟି ଦେଶର ମୁଦ୍ରା ରହିଛି । ବିଭିନ୍ନ ସମୟରେ ଏହି ନୋଟଗୁଡ଼ିକ ହୁଣ୍ଡିରେ ପଡ଼ିଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରିବା ପାଇଁ ଜମା କରାଯାଇଥିଲା । ହେଲେ ଏହି ମୁଦ୍ରାଗୁଡ଼ିକ ଅଚଳନ୍ତି ହୋଇସାରିଥିବାରୁ ବ୍ୟାଙ୍କ୍ ଏହାକୁ ଫେରସ୍ତ କରିଦେଇଛି । ପରିଚାଳନା କମିଟିରେ ଉପସ୍ଥାପନ ହେବାକୁ ଥିବାରୁ ଏହାକୁ ସୁରକ୍ଷିତ ରଖାଯାଇଛି । ତେବେ ଏତେ ସଂଖ୍ୟାରେ ଅଚଳ ବିଦେଶୀ ମୁଦ୍ରା କିଭଳି ଆସିଲା, ତାହା ଶ୍ରୀମନ୍ଦିର ଭିତରକୁ କିଭଳି ଗଲା, ଠାକୁରଙ୍କ ହୁଣ୍ଡିକୁ କାହିଁକି ଟାର୍ଗେଟ୍ କରାଗଲା ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଉଲ୍ଲେଖ ଥାଉ କି, ବିମୁଦ୍ରାକରଣ ପରେ ପୁରୁଣା ୫ଶହ ଟଙ୍କିଆ ଓ ୧ହଜାର ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। ହେଲେ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଅଚଳ ନୋଟ୍ ହୁଣ୍ଡିରେ ପଡ଼ୁଥିଲା । ଏହାର ପରିମାଣ ୧୮ ଲକ୍ଷ ଟଙ୍କା ହୋଇଥିଲା। ଏହାକୁ ଦୁଇ ଦୁଇ ଥର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପଠାଯାଇଥିଲା । ହେଲେ ଲାଭ ହୋଇନଥିଲା । ଏହି ୧୮ ଲକ୍ଷ ଟଙ୍କାର ଅଚଳ ନୋଟ୍ ଏବେ ପୋଡ଼ା ହେବା ପାଇଁ ରହିଥିବା ବେଳେ ଏହି ତାଲିକାରେ ଏବେ ଅଚଳ ବିଦେଶୀ ମୁଦ୍ରା ଯୋଡ଼ି ହୋଇ ଯାଇଛି । ପରିଚାଳନା କମିଟିରେ ଆଲୋଚନା ପରେ ଏହାକୁ କ’ଣ କରାଯିବ ସେ ନେଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି ।