ବୃଦ୍ଧ ବାପାର ଦୁଃଖଭରା ନିବେଦନ : ପରିବାରକୁ ଦେବନି ମୋ ଶବ

19

କନକ ବ୍ୟୁରୋ : ‘ବାପା’ କେବଳ ଏକ ଶବ୍ଦ ନୁହେଁ । ପରିବାରର ସୁରକ୍ଷା କବଚ । ପରିବାର ଓ ପିଲାଙ୍କ ପାଇଁ ତିଳ ତିଳ କରି ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇନଥାଏ । ତଥାପି ଶେଷରେ ପିଲାମାନେ ବଡ ହେଲା ପରେ ମିଳେ ଅନେକ କଷ୍ଟ ଓ ଭତ୍ସନା । ମୁଁ ମୃତ୍ୟୁପରେ ମତେ କେଉଁଠି ଫିଙ୍ଗିଦେବ କିନ୍ତୁ ମୋ ପରିବାରକୁ ମୋ ଶବ ଦେବନି । ଯଦି ପାରିବ ସତକାର କରିଦେବ । ମୋ ପରିବାରକୁ ଶବ ସତକାର କରିବାକୁ ଦେବନି । ଏହା ଥିଲା ତାଙ୍କର ଶେଷ ଇଚ୍ଛା । ଏହା କୌଣସି ଫିଲ୍ମ ବା ନାଟକର ସଂଳାପ ନୁହେଁ ଏହା ହେଉଛି ଜଣେ ବୃଦ୍ଧ ବାପାର ମୃତ୍ୟୁ ପୂର୍ବର କାହାଣୀ । ଆଉ ଆଜି ଏହା ସତ ପରିଣତ ହୋଇଥିଲା ଯେତେବେଳେ ତାଙ୍କ ମୃତ୍ୟୁ ପରେ ବି ପରିବାରରୁ କେହି ଆସିନଥିଲେ । ଆଃ ପଦେ କହିବା ତ ଦୂରର କଥା । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଘଟିଛି ଗଙ୍ଗନଗରସ୍ଥିତ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ।

ବୃଦ୍ଧ ଜଣକ ହେଉଛନ୍ତି ଆଟୁମୁଡ଼ି ରମେଶ। ୭୩ ବର୍ଷୀୟ ଏହି ବୃଦ୍ଧ ଜଣକ ବିଶାଖାପାଟଣା କାଞ୍ଚର ପାଲେମ ସୁରେଶରାମ ନଗରର ବାସିନ୍ଦା। ଆଜକୁ ଠିକ୨ ବର୍ଷ ତଳେ ୨୦୧୫ ଡିସେମ୍ବର ୧୫ ତାରିଖରେ ରାମମନ୍ଦିର ନିକଟ ଏକ ବାରଣ୍ଡାରେ ଅସହାୟ ଅବସ୍ଥାରେ ପଡ଼ି ଥରୁଥିବା ବେଳେ ତାଙ୍କୁ ଉଦ୍ଧାର କରିଥିଲେ ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ଏବଂ ଆଶ୍ରୟସ୍ଥଳୀର ପ୍ରକଳ୍ପ ସଂଯୋଜିକା ମାତୃମୟୀ ପ୍ରିୟଦର୍ଶିନୀ। ସେତେବେଳେ ତାଙ୍କ ଶରୀର ଥିଲା ରୋଗର ଗନ୍ତାଘର। ହାର୍ଣ୍ଣିଆ, ହୃଦରୋଗ ଓ ଆସ୍ଥମା ଭଳି ରୋଗରେ ପୀଡ଼ିତ ହୋଇ ସେ ଉକ୍ତ ବାରଣ୍ଡାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏମିତି କି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିବା ମାତ୍ରେ ଡାକ୍ତର କହିଥିଲେ, ଏ ବ୍ୟକ୍ତି ଜଣକ ଯଦି ଆଉ ଦିନେ ବି ଡାକ୍ତରଖାନା ଆସିବାକୁ ଡେରି କରିଥାଆନ୍ତେ ତେବେ ତାଙ୍କୁ ବଞ୍ଚାଇବା ମୁସ୍କିଲ ହୋଇଯାଇଥାଆନ୍ତା। ଏଭଳି ଅବସ୍ଥାରେ ସେ ଆସିଥିଲେ ଆଶ୍ରୟସ୍ଥଳୀକୁ।
ମାତୃମୟୀ ଯେବେ ତାଙ୍କୁ ଉଦ୍ଧାର କଲେ, ରମେଶ ପଚାରିଥିଲେ ମତେ କୁଆଡ଼େ ନେଉଛ ?

ମାତୃମୟୀ ଉତ୍ତର ଦେଇଥିଲେ ତମ ଝିଅ ଘରକୁ ଚାଲ। ମୁଁ ପରା ତମ ଝିଅ, ମୋ ଘରକୁ ଚାଲ। ଏତିକି କହିବା ପରେ ରମେଶ ଛୋଟ ପିଲାଟିଏ ଭଳି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ନିଜ ପରିବାର ଛାଡ଼ିଥିଲେ ହେଁ ରମେଶଙ୍କୁ ମିଳିଯାଇଥିଲା ଏକ ନୂଆ ପରିବାର। ସେଇଠି ହେଁ ସେ କହିଥିଲେ ନିଜ ପିତୃତ୍ୱର କୋହଭରା କଥା। ପଚାରିବାରୁ ବୁଝା ପଡ଼ିଥିଲା, ରମେଶ ଥିଲେ ଜଣେ ଆନିମଲ ଟ୍ରେନର ଏବଂ ରେଲେଓ୍ଵରେ କଣ୍ଟ୍ରାକ୍ଟ କାମ ବି କରୁଥିଲେ। ମାତ୍ର ଆସ୍ଥମା ଓ ହୃଦରୋଗ ଦେଖାଯିବା ପରେ ତାଙ୍କ ପିଛା ଅନେକ ଟଙ୍କା ଖର୍ଚ ହୋଇଥିଲା। ତେଣୁ ସେ ନିଜ ପରିବାରର ଏତେ ଟଙ୍କା ଖର୍ଚ ହେବା କଷ୍ଟକୁ ସମ୍ଭାଳି ନପାରି ବିଶାଖାପାଟଣା ଛାଡ଼ି ଓଡ଼ିଶା ଚାଲି ଆସିଥିଲେ। କାଳେ ସେ ଏକଥା ବି ଭାବିଥିଲେ ଯେ, ଯଦି ସେ କୁଆଡ଼େ ଚାଲି ଯାଆନ୍ତି ତେବେ ତାଙ୍କୁ ମୃତ ଦର୍ଶାଇ ତାଙ୍କ ଝିଅ ଚାକିରି ପାଇବା ସମ୍ଭବ ହେବ। ଆଉ ଠିକ ଏୟା ହିଁ ହୋଇଥିଲା, ବଡ଼ ଝିଅ ବାପାଙ୍କର ଚାକିରିକୁ ହାତେଇବାକୁ ସକ୍ଷମ ହୋଇଥିଲେ। ଏକଥା ଶୁଣିବା ପରେ ସମସ୍ତେ ଯେମିତି ଅବାକ ହୋଇଯାଇଥିଲେ।

ରମେଶ ଟିକେ ସୁସ୍ଥ ହେବା ପରେ ଆଶ୍ରୟସ୍ଥଳୀରୁ ନିଜ ବିଶାଖାପାଟଣାସ୍ଥିତ ଘରକୁ ଯାଇଥିଲେ ବି ତାଙ୍କୁ ସେଠି ଦେଖି ତାଙ୍କ ପରିବାରବର୍ଗ ଖୁସି ହୋଇ ନଥିଲେ। ବରଂ ବଡ଼ ଝିଅ ଚାକିରି ଚାଲିଯିବା ଭୟରେ ତାଙ୍କୁ ବାପା ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ତେଣୁ ରମେଶ ସେଠୁ ପୁଣି ଫେରି ଆସିଥିଲେ ଏହି ଆଶ୍ରୟସ୍ଥଳୀକୁ। ଶପଥ କରିଥିଲେ ଆଉ ସେ ନିଜ ଘରକୁ ଫେରିବେନି। ସେୟା ହିଁ ହେଲା। ସେ ଆଉ ଫେରିଲେନି। ଏଇଠି ତିଆରି କରିଥିଲେ ନୂଆ ପରିବାର । ତାଙ୍କର ସେବା କରୁଥିବା ଆଶ୍ରୟସ୍ଥଳୀର ପରିଚାଳକ ଅବିନାଶ ଦାଶ ପାଲଟି ଯାଇଥିଲେ ତାଙ୍କ ପୁଅ ଏବଂ ମାତୃମୟୀ ହୋଇ ଯାଇଥିଲେ ଅଲିଅଳି ଝିଅ । ସତକୁ ସତ ସେ ନିଜ ପ୍ରତିଶ୍ରୁତି ପୂରଣ କରିବା ଭଳି ଗତକାଲି ରାତି ୪ଟା ୪୫ରେ ଆରପୂରକୁ ଚାଲିଗଲେ। ରମେଶ ଚାଲିଯିବା ପରେ ଆଶ୍ରୟସ୍ଥଳୀର ସମସ୍ତ ଅନ୍ତେବାସୀ ତାଙ୍କ ପାଇଁ ଦଶକର୍ମ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହା ହିଁ ତ ତାଙ୍କ ପାଇଁ ସବୁଠୁ ବଡ଼ ସ୍ୱୀକୃତି। ରମେଶଙ୍କ ପରିବାରକୁ ଏନେଇ ଖବର ଦିଆଯିବାରୁ ତାଙ୍କ ସ୍ତ୍ରୀ କେବଳ ଦୁଇଟି ପ୍ରଶ୍ନ ପଚାରିଥିଲେ। କହିଥିଲେ, କେତେବେଳେ ମଲେ ଏବଂ କେମିତି ମଲେ। ବାସ ଏତିକିରେ ସେପଟୁ ଫୋନ କଟିଯାଇଥିଲାଟ୍ଟ

 

Comments are closed.