ଆପଣ ଜାଣିଛନ୍ତି କି ଓଡିଶାର ସର୍ବବୃହତ ରଥ କେଉଁଠାରେ ନିର୍ମାଣ କରାଯାଏ ? ତେବେ ପଢନ୍ତୁ ଏହି ଖବର

28

କନକ ବ୍ୟୁରୋ: ଆଗାମି ଘୋଷଯାତ୍ରା ପାଇଁ ଏକ ପ୍ରକାରର ପ୍ରସ୍ତୁତ ହୋଇସାରିଲାଣି ବିଶ୍ୱର ବୃହତ ରଥ । କେନ୍ଦୁଝରରେ ଶ୍ରୀଶ୍ରୀ ବଳଦେବଜିଉଙ୍କ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଏହି ରଥ ବିଶ୍ୱର ବୃହତ ରଥର ପରିଚୟ ପାଇଛି । ରଥ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିବା ବେଳେ କେବଳ ରଙ୍ଗ କାର୍ଯ୍ୟ ବାକି ରହିଛି । ଯାହାକି ଆଗାମି ସପ୍ତାହ ମଧ୍ୟରେ ଶେଷ କରିବା ପାଇଁ ସ୍ଥିର କରାଯାଇଛି ।

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଯୋରସୋରରେ ଚାଲିଛି ପ୍ରସ୍ତୁତି । ଏମିତି ଏକ ସ୍ଥାନ ହେଉଛି କେନ୍ଦୁଝର ଜିଲ୍ଲାର ଶ୍ରୀ ଶ୍ରୀ ବଳଦେବଜିଉ ପୀଠ । ବିଭିନ୍ନ କାରୁ କାର୍ଯ୍ୟରେ ନିର୍ମିତ ଏହି ମନ୍ଦିର ସ୍ଥାପନା ଦିନରୁ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏଥିପାଇଁ ୧୬ ଚକା ବିଶିଷ୍ଟ ୭୨ ହାତ ଉଚ୍ଚର ରଥ ପ୍ରସ୍ତୁତ କରାଯାଏ । ପ୍ରଭୁ ବଳଦେବଜିଉ ମୁଖ୍ୟ ଦେବତା ହୋଇଥିବା ବେଳେ ରଥ ନାମ ନନ୍ଦିଘୋଷ ରଖାଯାଇଛି । ଏହି ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତୀ ମାଉସିଘର ଯାତ୍ରା କରିଥାନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ୩୭ଜଣ କାରିଗର ନିୟୋଜିତ ଅଛନ୍ତି ।

କେନ୍ଦୁଝର ରଥଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ଆୟୋଜନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର କମିଟି କରଯାଇଥିବା ବେଳେ ଦେବତୋର ଅଧିକାରୀ ତଥା ଉପଜିଲ୍ଲାପାଳ ଏହାର ତଦାରଖ କରୁଛନ୍ତି । ପ୍ରାୟ ୩୦୦ ବର୍ଷରୁ ଅଧିକ ହେବ କେନ୍ଦୁଝରରେ ଶ୍ରୀଶ୍ରୀ ବଳଦେବଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜ ୧୬୭୧ ଖ୍ରୀଷ୍ଟାଦ୍ଧରେ କେନ୍ଦୁଝର ପୁରୁଣାସହରରେ ସ୍ଥାପନ କରିଥିବା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ରଥଯତ୍ରା ଅନୁଷ୍ଠିତ ହୋଇଥାଏ ।