ଓଡ଼ିଶା ରସଗୋଲା’କୁ ମାନ୍ୟତା ଦାବି ! ଚେନ୍ନାଇ ଗଲେ ମହାଭୋଇ ସେବକ

33

କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ଓ ଓଡିଶାର ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଚେନ୍ନାଇ ଯାଇଛି ଶ୍ରୀଜଗନ୍ନାଥ ସେନା । ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ୪ଜଣିଆ ଦଳ ପୁରୀ ଚେନ୍ନାଇ ଏକ୍ସପ୍ରେସରେ ଚେନ୍ନାଇ ଯାଇଛନ୍ତି । ମଙ୍ଗଳବାର ଚେନ୍ନାଇର ଜିଆଇ ଅଫିସରେ ଆବେଦନ କରାଯିବାର ସୂଚନା ମିଳିଛି । ରାଜ୍ୟ ସରକାର ରସଗୋଲା ଜିଆଇ ମାନ୍ୟତା ପାଇଁ ପ୍ରମାଣ ପ୍ରସ୍ତୁତି କରୁଥିବା ବେଳେ ଶ୍ରୀଜଗନ୍ନାଥ ସେନା ସ୍ୱତଃପ୍ରବୃତ ଭାବେ ଶ୍ରୀମନ୍ଦିରର ପ୍ରମାଣପତ୍ର ଧରି ଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଓଡିଶାରେ ହିଁ ରସଗୋଲାର ଉତ୍ପତ୍ତି । କାହିଁ କେଉଁ ଆବାହମାନ କାଳରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହୋଇଆସୁଛି । ଏହି ରଥଯାତ୍ରା ସମୟରେ ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ମହାପ୍ରଭୁ ରସଗୋଲା ଖୁଆଇଥାନ୍ତି । ତେଣୁ ଶ୍ରୀ ଜଗନ୍ନାଥ ରସଗୋଲା ହିଁ ବିଶ୍ୱର ସର୍ବପୁରାତନ ରସଗୋଲା । ଚିନି ବାହାରିବା ପୂର୍ବରୁ ଏହାକୁ ଗୁଡ଼ରସ ବା ଆଖୁରସରେ ମଧ୍ୟ ତିଆରି କରାଯାଉଥିଲା । ଏବେ ଆମ ରସଗୋଲାକୁ ବେଙ୍ଗଲ ଛଡାଇ ନେବାରେ ଷଡ଼ଯନ୍ତ୍ର କରିଛି ।

ଏହି ପରିପ୍ରେକ୍ଷୀରେ ସରକାର ଉଦାସୀନ ଥିବାରୁ ଓଡ଼ିଶା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ମାନ ସମ୍ମାନ ରକ୍ଷା କରିବାକୁ ଶ୍ରୀ ଜଗନ୍ନାଥ ସେନାର ଏକ ପ୍ରତିନିଧି ଦଳ ଚେନ୍ନାଇ ଯାଇଛି । ସାଥିରେ ଜଗନ୍ନାଥଙ୍କ ଗଉଡ଼ ସେବକ ତଥା ମହାଭୋଇ ସେବକ ରାଜୁ ମହାଭୋଇ ମଧ୍ୟ ଯାଇଛନ୍ତି । ସେଠାରେ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବା ସହ ଓଡିଶାର ଅନ୍ୟାନ୍ୟ ନିଜସ୍ୱ ଖାଦ୍ୟଗୁଡିକର ମଧ୍ୟ ଜିଆଇ ଆବେଦନ କରାଯିବ ବୋଲି ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।