ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଆଜି ଦିଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ! ଡାକ୍ତରୀ ଟିମକୁୁ ଭେଟିବେ ପ୍ରତାପ, ଆଗାମୀ ଚିକିତ୍ସା ବାବଦରେ ଆଲୋଚନା

73

କନକ ବ୍ୟୁରୋ: ଆଜି ଦିଲ୍ଲୀ ଏମ୍ସ ହସ୍ପିଟାଲ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପ୍ରତାପ ଜେନା ଏମ୍ସ ଯିବେ । ଜଗା ବଳିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅସ୍ତ୍ରୋପଚାର ଦ୍ୱାରା ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅଲଗା କରାଯିବା ପରେ ଉଭୟ ଶିଶୁ ଆଇସିୟୁରେ ଅଛନ୍ତି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଆଗକୁ ପିଲା ଦୁଇଟିଙ୍କର ଆଉ କଣ ସବୁ ଚିକିତ୍ସା କରାଯିବ ସେ ବାବଦରେ ମନ୍ତ୍ରୀ ଆଲୋଚନା କରିବାର ସମ୍ଭାବନା ଅଛି ।

ଭାବାବେଗ ଭରା ପ୍ରାର୍ଥନା ଏବଂ ସୁସ୍ଥତା କାମନା ଭିତରେ ଜଗା-ବଳିଆଙ୍କୁ ନେଇ ନିକଟରେ ଦିଲ୍ଲୀ ଏମ୍ସରୁ ଆସିଥିଲା ଏକ ଭଲ ଖବର । କନ୍ଧମାଳର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ରିଲିଜରେ ଏହା ସ୍ପଷ୍ଟ କରାଯାଇଛି । ଏଥିରେ କୁହାଯାଇଛି କି, ଏକ ୨୫ ଜଣିଆ ଡାକ୍ତରି ଦଳ ଜଗାବଳିଆର ଚିକିତ୍ସା କରୁଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଏବଂ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ଶ୍ୱାସ କ୍ରିୟା ଏବଂ ରକ୍ତ ସଂଚାଳନ ପ୍ରକ୍ରିୟା ସ୍ଥିର ରହିଛି । ରକ୍ତ ସଂଚାଳନ ପ୍ରକ୍ରିୟା ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେହେତୁ ଜଗା-ବଳିଆଙ୍କ ରକ୍ତ ସଂଚାଳନ ଜଟିଳ ଥିଲା ।

ପ୍ରଥମ ଏବଂ ଦ୍ୱିତୀୟ ପର୍ୟ୍ୟାୟ ଅପରେସନରେ ରକ୍ତ ସଂଚାଳନ ମାଧ୍ୟମକୁ ଉଭୟଙ୍କର ଅଲଗା ଅଲଗା କରାଯାଇଥିଲା । ଏମ୍ସର ହେଲ୍ଥ ବୁଲେଟିନ୍ କହିଥିଲା କି- ଜଗାବଳିଆଙ୍କ ରକ୍ତ ସଂଚାଳନ ଏବେ ଠିକ୍ ଅଛି । ଏଥିସହ ସେମାନଙ୍କର ହୃଦସ୍ପନ୍ଦନ ସ୍ୱାଭାବିକ ରହିଛି ବୋଲି ଏଥିରେ ସୂଚନା ଦିଆଯାଇଛି । ଏମ୍ସର ଡାକ୍ତରମାନେ କହିଛନ୍ତି ଜଗା, ଡାକ୍ତରଙ୍କ କଥା କିମ୍ବା ଠାରକୁ ବୁଝିପାରୁଛି । ଅର୍ଥାତ୍ ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟ ବସ୍ଥାରେ ଶୀଘ୍ର ପରିବର୍ତ୍ତନ ଆସୁଛି ।

କିଡନୀ ଜନିତ ସମସ୍ୟା କାରଣରୁ ଜଗାକୁ ଡାଏଲିସିସରେ ରଖାଯାଇଛି । ତେବେ ଡାକ୍ତରମାନେ ଆଶା ରଖିଛନ୍ତି ୮ରୁ ୧୦ ଦିନ ମଧ୍ୟରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ । କିନ୍ତୁ ଜଗା-ବଳିଆ ଏବେ ସଂପୂର୍ଣ୍ଣ ଠିକ୍ ହୋଇଯାଇଛନ୍ତି ବୋଲି କହିହେବ ନାହିଁ । ଏ ବିଷୟରେ ସଂକେତ ଦେଇ ଦିଲ୍ଲୀର ଏମ୍ସ ହସ୍ପିଟାଲ କହିଛି- ଅସୁସ୍ଥତା କାରଣରୁ ସେମାନଙ୍କୁ ୬ରୁ ୮ ଦିନ ଆଇସିୟୁରେ ରହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟବସ୍ଥା ଦେଖି ଏହି ଅବଧି ବଢ଼ାଇ ପାରନ୍ତି ଡାକ୍ତର । ମିଳିଥିବା ଖବର ଅନୁସାରେ, ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ମଧ୍ୟ ବଳିଆର ବହୁ ସମୟ ପରେ ଚେତା ଫେରିଥିଲା । ଯେହେତୁ ପ୍ରଥମ ପର୍ଯ୍ୟାୟ ଅପରେସନ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଅଧିକ ଜଟିଳ ଓ ଜଗା ତୁଳନାରେ ବଳିଆ ଅଧିକ ଦୁର୍ବଳ, ଏଣୁ ନିଶ୍ଚେତକର ପ୍ରଭାବରୁ ବାହାରିବା ପାଇଁ ସମୟ ଲାଗୁଛି ବୋଲି ଡାକ୍ତରୀଦଳ ଅନୁମାନ କରୁଛନ୍ତି ।

ଦୁଇ ମାସ ବ୍ୟବଧାନରେ ଦୁଇ ଦୁଇଟି ଜଟିଳ ସର୍ଜରିକୁ ଦୁଇ ଶିଶୁ ସହ୍ୟ କରିବା ଆଦୌ ସହଜ କଥା ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ କନ୍ଧମାଳର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କ ପାଇଁ ସାରା ଓଡ଼ିଶା ପ୍ରାର୍ଥନା କରୁଛି । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ସେ ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ।