କାର୍ତ୍ତିକ ପ୍ରସ୍ତୁତି : ଏଥର ୩ ହଜାର ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା

52

କନକ ବ୍ୟୁରୋ: ଗତବର୍ଷ କାର୍ତ୍ତିକ ମାସରେ ପୁରୀରେ ଏକ ହଜାର ହବିଷ୍ୟାଳୀ ଅସ୍ଥାୟୀ ଶିବିରରେ ରହିଥିଲେ । ଏଥର କିନ୍ତୁ ୩୦୦୦ ହବିଷ୍ୟାଳୀଙ୍କ ପାଇଁ ସ୍ଥାୟୀ ରହଣି ବ୍ୟବସ୍ଥା ହେଉଛି । ଏଥି ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଅକ୍ଟୋବର ୬ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ହବିଷ୍ୟାଳୀଙ୍କ ରହିବା ପାଇଁ ଯୋଜନା ହୋଇଛି । ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସର୍କିଟ ହାଉସଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ଉପସ୍ଥିତିରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ହବିଷ୍ୟାଳୀ ପହଞ୍ଚିବା ପୂର୍ବରୁ ପରିଚୟ ପତ୍ର ତିଆରି ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ହବିଷ୍ୟାଳୀମାନଙ୍କୁ ଜିଲ୍ଲାଓ୍ଵାରୀ ଅଲଗା ଅଲଗା ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ଗୋଟିଏ ରହଣିସ୍ଥଳରେ ଗୋଟିଏ ଜିଲ୍ଲାର ହବିଷ୍ୟାଳୀ ରଖିବା ପାଇଁ ଉଦ୍ୟମ କରାଯାଉଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀମାନଙ୍କୁ ଅବଢ଼ା ପ୍ରଦାନ କରିବା ପାଇଁ ଯୋଜନା ହୋଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପୂର୍ବରୁ ହବିଷ୍ୟାଳୀମାନଙ୍କୁ ଦିଆଯାଉଥିବା ଅବଢ଼ା ପାଇଁ ଏଥର ସୁଆର ମହାସୁଆର ନିଯୋଗ ବ୍ୟକ୍ତିଗତ ଭାବରେ ସୁଆରମାନଙ୍କୁ ନେଇ ଟେଣ୍ଡର ଡକା ଯିବା ପାଇଁ ନିଷ୍ପତ୍ତି ହୋଇଛି । ଗତ ବର୍ଷ କେତେକଙ୍କର ମୃତ୍ୟୁ ହୋଇଥିବାରୁ ଚଳିତବର୍ଷ ବୀମା କରାଯିବା ନେଇ ଚିନ୍ତା କରାଯାଇଥିଲା । ହେଲେ କୌଣସି ବୀମା କମ୍ପାନୀ ରାଜି ନ ହେବାରୁ ଏହା କରାଯାଇ ପାରି ନ ଥିବା ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି ।

ଏହି ଯୋଜନାରେ ସାମିଲ ହେବାପାଇଁ ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଆବେଦନ କରିବାର ଅବଧି ସେପେ୍ଟମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିଛି । ଏ ଯାବତ୍ ୧୦ ଜଣ ଆବେଦନ କରି ସାରିଛନ୍ତି । ରେଳବାଇ ଯାତ୍ରୀ ଆଶ୍ରୟସ୍ଥଳୀରେ ୮ଶହ ଜଣଙ୍କର ବ୍ୟବସ୍ଥା ହୋଇଥିବା ବେଳେ ରେଳବାଇ ବାରାକରେ ୪୦୦, ବଗଲା ଧର୍ମଶାଳାରେ ୨୦୦, ଜଗନ୍ନାଥ ବଲ୍ଲଭରେ ୪୦୦ଜଣଙ୍କର ବ୍ୟବସ୍ଥା ହୋଇଛି ।

ଆବଶ୍ୟକ ପଡ଼ିଲେ ଡୁଡ଼ୁଓ୍ଵାଲା, ବାଗାଡ଼ିଆ, ଗୋଏଙ୍କା ପ୍ରଭୃତି ଧର୍ମଶାଳାକୁ ପ୍ରସ୍ତୁତ ରଖାଯାଇଛି। ଶ୍ରୀମନ୍ଦିର ଠାରୁ ଦୂରରେ ରହିଥିବା ରହଣୀ ବ୍ୟବସ୍ଥାରୁ ସ୍ୱତନ୍ତ୍ର ବସ୍ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବ । ମଶା ଦାଉରୁ ରକ୍ଷା ପାଇବା ପାଇଁ ଏଥର ମଶାରୀ ବ୍ୟବସ୍ଥା କରାଯିବ ନାହିଁ । ମଶାଧୂଆଁ ସହ ମେସିନ୍ ଜରିଆରେ ମଶା ଘଉଡାଇବା ବ୍ୟବସ୍ଥା ହେବ । ସ୍ନାନ କରିବା ପାଇଁ କେବଳ ନରେନ୍ଦ୍ର ପୁଷ୍କରିଣୀକୁ ସ୍ୱୀକୃତି ପ୍ରାପ୍ତ କରାଯିବ ।