ଏସିଆନ ଗେମ୍ସରେ ସଫଳତା ପରେ ଦୂତିଙ୍କ ପାଇଁ ପୁରସ୍କାର ବର୍ଷା କଲେ ସରକାର । ମିଳିବ ୩ କୋଟି ଟଙ୍କା, ଦୂତି କହିଲେ ଅଲମ୍ପିକ୍ସରେ କରିବି ଖର୍ଚ୍ଚ

41

କନକ ବ୍ୟୁରୋ : ଏସିଆଡ ଖେଳରେ ଭାରତ ପାଇଁ ଦୁଇ ଦୁଇଟି ରୌପ୍ୟପଦକ ଆଣିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ପାଇଁ ୩ କୋଟିର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦେଢ଼ କୋଟି ଘୋଷଣା କରିଥିବା ରାଜ୍ୟ ସରକାର ଦୂତିଙ୍କ ୨ଶହ ମିଟର ଦୌଡ଼ରେ ସଫଳତା ପରେ ପୁଣି ଦେଢ଼ କୋଟିର ପୁରସ୍କାର ଘୋଷଣା କରିଛନ୍ତି । ଏହା ସହିତ ଆଗାମୀ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଆବଶ୍ୟକ ଥିବା ତାଲିମ୍ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି । ଆଉ ଏହି ସବୁ ପୁରସ୍କାର ଓ ସମ୍ମାନ ଭିତରେ ଦୂତି ଚାନ୍ଦଙ୍କ ନଜର ଏବେ ଅଲିମ୍ପିକ୍ସ ଉପରେ ।

ସଫଳତା ପ୍ରେରଣା ଦିଏ, ଆଉ ଏହି ପ୍ରେରଣାକୁ ପାଥେୟ କରି ଆଗାମୀ ଅଲିମ୍ପିକ୍ସ ମୈଦାନକୁ ଓହ୍ଲାଇବେ ଓଡ଼ିଶାର ସୁନା ଝିଅ ଦୂତି ଚାନ୍ଦ । ଏସିଆଡ ଖେଳର ଉଭୟ ଶହେ ମିଟର ଏବଂ ୨ଶହ ମିଟରରେ ଦେଶ ପାଇଁ ରୁପା ଆଣିଥିବା ସୁନା ଝିଅ ଦୂତିଙ୍କ ପାଇଁ ଏହି ସଫଳତା କେବଳ ପ୍ରେରଣା ଦେଇନି ବରଂ ଆଗକୁ ବଢିବାକୁ ଉତ୍ସାହ ଦେଇଛି । ଆଉ ଏହି ଉତ୍ସାହକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଆଉ ଦେଢ଼ କୋଟିର ପୁରସ୍କାର ରାଶି ।

ଶହେ ମିଟର ଦୌଡ଼ରେ ରୌପ୍ୟପଦକ ଜିତିବା ପରେ ଦେଢ଼ କୋଟିର ପୁରସ୍କାର ଘୋଷଣା କରିଥିବା ରାଜ୍ୟ ସରକାର, ୨ଶହ ମିଟର ଦୌଡ଼ରେ ପଦକ ଆଣିବା ପରେ ଆଉ ଦେଢ଼ କୋଟି ଦେବା ପାଇଁ ଘୋଷଣା କରିଛନ୍ତି । ଆଉ ବଡ କଥା ହେଲା-୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଆବଶ୍ୟକ ହେଉଥିବା ତାଲିମ୍୍ ପାଇଁ ସମସ୍ତ ସହାୟତା କରିବେ ରାଜ୍ୟ ସରକାର ।

ରାଜ୍ୟ ସରକାର ଦୂତି ଚାନ୍ଦଙ୍କୁ ଦୁଇଟି ପର୍ଯ୍ୟାୟରେ ୩ କୋଟିର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍ ୫୦ ହଜାର ଏବଂ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।
ଦୂତି ଚାନ୍ଦ କେବଳ ପଦକ ଜିତି ନାହାଁନ୍ତି, ଏହା ସହ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।
-ଶହେ ମିଟର ଦୌଡ଼ରେ ଦୀର୍ଘ ୨୦ ବର୍ଷ ପରେ ଭାରତକୁ ପଦକ
-୨ଶହ ମିଟର ଦୌଡ଼କୁ ସେମିରେ ୨୩ ସେକେଣ୍ଡରେ ଅତିକ୍ରମ କରି ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ
– ଚତୁର୍ଥ ଖେଳାଳି ଭାବେ ଗୋଟିଏ ଏସିଆଡରେ ଦୁଇଟି ପଦକ ଜିତିଛନ୍ତି
ଏହି ସବୁ ରେକର୍ଡ ହିଁ ପ୍ରମାଣ କରୁଛି ଯେ, ଭାରତ ପାଇଁ ଦୂତି ଚାନ୍ଦ ଅଲିମ୍ପିକ୍ସରେ ଏକ ନୂଆ ସଂଭାବନା ସୃଷ୍ଟି କରିଛନ୍ତି । ଆଉ ଏହି ସଂଭାବନାକୁ ସଫଳତା ଆଡକୁ ନେଇଯିବା ପାଇଁ ସଂପୂର୍ଣ୍ଣ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର ।