ପୁଣି ସୃଷ୍ଟି ହେଲା ଲଘୁଚାପ ! ବନ୍ୟା ଆଶଙ୍କା ଦେଖି ସାରା ରାଜ୍ୟ ପାଇଁ ସତର୍କତା ଜାରି କଲେ ସରକାର, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

38

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ଆଶଙ୍କା । ଦୁଇ ଦିନର ଲଗାଣ ବର୍ଷାରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଦିନକ ପରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ସେପଟେ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ମାଡିଯାଇଛି । ରାସ୍ତାଘାଟ ଧୋଇଯାଇଛି । ବ୍ରିଜ୍ ଉପରେ ପାଣି ବୋହୁଛି । ବର୍ତମାନ ବନ୍ୟା ସ୍ଥିତି ଉପୁଜିନଥିଲେ ବି ଆସନ୍ତା ୧୯ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ବନ୍ୟା ଆଣିବା ନେଇ ଆଶଙ୍କା କରାଯାଉଛି ।

ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ରାଜ୍ୟର କେତେକ ସ୍ଥାନରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅଧିକାଂଶ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୧୯ ତାରିଖରେ ଆଉ ଏକ ଲଘୁଚାପ ସୃ୍ଷ୍ଟି ହେବାର ପୂର୍ବାନୁମାନ କରାଯାଇଥିବାରୁ ବନ୍ୟା ଆଶଙ୍କା କରିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବନ୍ୟା ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ମନ୍ତ୍ରୀ ।

କୁଳ ଲଂଘି ମାଡି ଆସିଛି ସମୁଦ୍ର ପାଣି । ସମୁଦ୍ର ସହ ମିଶିଯାଇଛି ଗାଁ ଆଉ କ୍ଷେତ । ମାଇଲ୍ ମାଇଲ୍ ବ୍ୟାପି ମାଡ଼ିଯାଇଛି ସମୁଦ୍ରର ଲୁଣିପାଣି । ଏହା ହେଉଛି ବାଲେଶ୍ୱର ବାଲିଆପାଳ ବ୍ଲକର ଡଗରା ଓ ଚୌମୁଖ ପଂଚାୟତର ଦୃଶ୍ୟ । ଚାଷଜମିରେ ଲୁଣିପାଣି ରହିବା କାରଣରୁ ଚାଷକାମ ଆଗେଇପାରୁନାହିଁ । ତେବେ ପ୍ରତିବର୍ଷ ଲୁଣିପାଣି ଚାଷଜମିକୁ ଆସିଲେ ବି କ୍ରମେ ଜଳ ନିଷ୍କାସନ ହୋଇ ଚାଷ ହୋଇଥାଏ କିନ୍ତୁ ଅତ୍ୟଧିକ ଚିଙ୍ଗୁଡ଼ିଘେରି ଯୋଗୁ ଏଥରକ ବଦଳିଛି ସ୍ଥିତି । ଜମିରେ ଲୁଣି ପାଣି ରହିବା ଯୋଗୁ ୬ହଜାର ହେକ୍ଟରରୁ ଅଧିକ ଜମି ପଡ଼ିଆ ପଡ଼ିବାର ଆଶଙ୍କା ଦେଖାଦେଇଛି । ଏପଟେ ବାଲିଆପାଳ ବ୍ଲକର ପାଖାପାଖି ୧୫ଟି ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି ।

ସେପଟେ କାକଟପୁର, ଅସ୍ତରଙ୍ଗ ବ୍ଲକର ୨୦ଟି ଗାଁର ହଜାର ହଜାର ହେକ୍ଟର ଚାଷ ଜମିରେ ଲୁଣା ପାଣି ମାଡି ଯାଇଛି । କାରଣ କେଳୁଣୀ ମୁହାଣ ବନ୍ଦ ଯୋଗୁଁ ଜୁଆର ପାଣି ଓ ପ୍ରାଚୀ ନଦୀର ପଛୁଆ ପାଣି ସ୍ଥାନୀୟ ଅଂଚଳରେ ମାଡିଯାଉଛି । ଡ୍ରେନେଜ ବିଭାଗର ଅଧିକାରୀ କେଲୁଣୀ ମୁହାଣ ପାଖରେ ଖନନ ଆରମ୍ଭ କରିଛନ୍ତି । ଫଳରେ ଚାଷ ଜମିରୁ ସମୁଦ୍ର ଲୁଣି ପାଣି ଏବଂ କାଦୁଆ ଓ ପ୍ରାଚୀ ନଦୀର ପଛୁଆ ପାଣି ସମୁଦ୍ରକୁ ଫେରିବ ବୋଲି ଆଶା ରଖିଛନ୍ତି ଚାଷୀ ।

ଲଗାଣ ବର୍ଷା ଫଳରେ କଳାହାଣ୍ଡି ଜୟପାଟଣାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସଉରା ନଦୀରେ ବନ୍ୟା ଯୋଗୁଁ ଥୁଆମୁଳ ରାମପୁର ବ୍ଲକ୍ କିଆପଦର୍ ପଂଚାୟତ ଡାଲଗୁମା-ନାଲଘରା ରାସ୍ତା ଉପରେ ଚାଲିଛି ବଢି ପାଣି । ଏହା ଯୋଗୁ ମେଲଘରା, ବଟାଗୁଡ଼ା, ବଣ୍ଡେଲଗୁଡ଼ା, ତଲଟାପି, ସିନ୍ଧିପଦର, ପୋଡ଼ାପଦର, କେରପାଇ ଆଦି ୭ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି । ବିପଦସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଫସଲନଷ୍ଟ ହେବା ସହ ଜଳବନ୍ଦୀ ଅବସ୍ଥାରେ ଫସିରହିଛନ୍ତି ଗ୍ରାମବାସୀ ।