ଡେଙ୍ଗୁପରେ ଏବେ ରାଜ୍ୟରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ! ଖୋର୍ଦ୍ଧା ଜିଲ୍ଲା ନାଚୁଣୀଠାରେ ୨୩ ବର୍ଷୀୟ ଯୁବତୀଙ୍କ ନିକଟରୁ ଭୂତାଣୁ ଚିହ୍ନଟ

25

କନକ ବ୍ୟୁରୋ : ସାରା ରାଜ୍ୟରେ ଡେଙ୍ଗୁ ମାଡ଼ି ଚାଲିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହା ଭୟଙ୍କର ରୂପ ନେଲାଣି। ଏପରିକି ରାଜ୍ୟର ମୋଟ୍ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୩୦% କେବଳ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୦୦ ଛୁଇଁଲାଣି। ଏହିଭଳି ସମୟରେ ରାଜ୍ୟର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳର ଜଣେ ୨୩ବର୍ଷର ଯୁବତୀଙ୍କ ନିକଟରେ ସ୍ୱାଇନ୍ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ସେ ଏବେ ଖଣ୍ଡଗିରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ କିଛି ଦିନ ହେଲା ଏହି ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବାହାର ରାଜ୍ୟରୁ କି ଦେଶରୁ ସ୍ୱାଇନ୍ ଫ୍ଲୁ ଭୂତାଣୁ ଆସିଛି ସେନେଇ ପଚରାଉଚରା କରିବାରୁ ଜଣାପଡ଼ିଛି ଯେ, ଉକ୍ତ ଯୁବତୀ ଜଣଙ୍କ ନାଚୁଣୀରେ ହିଁ ରୁହନ୍ତି। ଗତ କିଛି ମାସ ମଧ୍ୟରେ ସେ ବାହାରକୁ ଯାଇନାହାନ୍ତି। ଫଳରେ ଖୋର୍ଦ୍ଧା ଜିଲ୍ଲା ହିଁ ସ୍ୱାଇନ୍ ଫ୍ଲୁ ଭୂତାଣୁର ଉତ୍ପତିସ୍ଥଳ ପାଲଟିଥିବା କୁହାଯାଉଛି। ଯଦି ଏହିଠାରୁ ସ୍ୱାଇନ୍ ଫ୍ଲୁ ଭୂତାଣୁ ବାହାରିଥିବେ ତେବେ ବର୍ତ୍ତମାନର ପାଣିପାଗ ସେମାନଙ୍କ ପାଇଁ ଅନୁକୂଳ ଅଛି। ପାଗ କୋହଲା ଏବଂ ତାପମାତ୍ରା କମ୍ ରହୁଥିବାରୁ ଏହି ଭୂତାଣୁ ସହଜରେ ବ୍ୟାପିଯିବେ। ଏହାର ମୁକାବିଲା ପାଇଁ ଲୋକମାନେ ଆବଶ୍ୟକୀୟ ଟୀକା, ଔଷଧ ନିଅନ୍ତୁ କିମ୍ବା ମାସ୍କ ପିନ୍ଧିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଘୁଷୁରି ଭଳି ପ୍ରାଣୀଙ୍କ ଦ୍ୱାରା ସ୍ୱାଇନ୍ ଫ୍ଲୁ ସହଜରେ ବ୍ୟାପୁଥିବାରୁ ଏଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ଦରକାର। ନଚେତ୍ ଗତବର୍ଷ ଭଳି ସ୍ଥିତି ସାଂଘାତିକ ହୋଇପାରେ। ଗତବର୍ଷ ପ୍ରାୟ ୩୭୦ରୁ ଅଧିକ ସ୍ୱାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ପ୍ରାୟ ୫୪ଜଣଙ୍କର ମୃତ୍ୟୁ ହୋଇଥିଲା।