ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର ଦାବିରେ ପଶ୍ଚିମ ଓଡିଶାରେ ତେଜିଲା ଚାଷୀ ଅସନ୍ତୋଷ :  ସମ୍ବଲପୁରର ୪ ବିଧାୟକଙ୍କ  ବାସଭବନ ଘେରିଲେ ଶହ ଶହ ଚାଷୀ

222

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଅସନ୍ତୋଷ  । ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି ଚାଷୀ । ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ଅବରୋଧ କରିବାକୁ ନିଷ୍ପତି ନେଇଛନ୍ତି  । ଏହି କ୍ରମରେ ରେଙ୍ଗାଳି ବିଧାୟକ ନାଉରୀ ନାୟକଙ୍କ ଘର ଆଗରେ ଚାଷୀ ମାନେ କରିଛନ୍ତି ପ୍ରତିବାଦ । ଏହାକୁ ନଜରରେ ରଖି ବିଧାୟକଙ୍କ ଘର ଆଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ପର୍ଯ୍ୟୟ କ୍ରମେ ସମ୍ବଲପୁର ଜିଲ୍ଲାର ଅନ୍ୟ ବିଧାୟକଙ୍କ ଘର ଆଗରେ ବିରୋଧ କରାଯିବ ବୋଲି ନିଷ୍ପଚି ନେଇଛନ୍ତି ଚାଷୀ ।

ସେପଟେ ବରଗଡରେ ଦ୍ୱିତୀୟ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆଜି ମଧ୍ୟ ଅତାବିରା ବ୍ଲକରେ ଏକାଠି ହୋଇଛନ୍ତି ଶହ ଶହ ଚାଷୀ । ଅତାବିରା ଚାଷୀ ସଂଗଠନ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟ, ଅତାବିରା ଏନଏସି କାର୍ଯ୍ୟାଳୟ , କୃଷି ସମବାୟ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ତାଲା ପକାଇଛନ୍ତି ଚାଷୀ । ଚାଷୀ ମାନେ ଗୋଟିଏ ଦାବି କରିଛନ୍ତି ,  ସରକାର ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ଉଛେଦ ନକରିବା  ଯାଏଁ ଏହି ଆନ୍ଦୋଳନ ଜାରି ରହିବ ।