ନାହିଁ ନାହିଁରେ ଚାଲିଛି ଉପକୂଳ ସୁରକ୍ଷା ! ୯ଟି ଥାନାର କର୍ମଚାରୀଙ୍କୁ ନେଇ ଚାଲିଛି ୧୮ ଥାନା

50

କନକ ବ୍ୟୁରୋ : ଓଡିଶାର ସମୁଦ୍ର ଉପକୂଳ ସୁରକ୍ଷା ଢିଲା ! କର୍ମଚାରୀଙ୍କ ଅଭାବ ହେତୁ ଏପରି ପରିସ୍ଥିତି ହୋଇଥିବା ଜଣାପଡିଛି । ୯ଟି ଥାନାର କର୍ମଚାରୀଙ୍କୁ ନେଇ ଚାଲିଛି ୧୮ ଥାନା । ଏପରି ଭାବରେ ଚାଲିଛି ଓଡିଶାର ଉପକୂଳସୁରକ୍ଷା । ବାରମ୍ବାର ଓଡିଶା ସୀମାଦେଇ ବିଦେଶୀମାନେ ଭାରତରେ ପ୍ରବେଶ କରୁଛନ୍ତି ବୋଲି ଅନେକ ବରିଷ୍ଠ ପୋଲିସ ଅଧିକାରୀ କହୁଥିବା ସହ ଖାସ କରି ବାଙ୍ଗଲାଦେଶୀମାନଙ୍କ ଉପରେ କଡା ନଜର ରଖିବା ପାଇଁ ନିକଟରେ ପୋଲିସ ସମୁଦ୍ର କୂଳିଆ ଥାନାକୁ ନିର୍ଦ୍ଦେଷ ଦେଇଥିଲେ । ହେଲେ କର୍ମଚାରୀର ଘୋର ଅଭାବରୁ ଏବେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ଓଡିଶାରେ ମୋଟ ୪୮୦କିଲୋମିଟର ସମୁଦ୍ର କୂଳ ରହିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ କୈାଣସି ପଦକ୍ଷେପ ନେଉନଥିବା ଦେଖାଯାଇଛି ।

 

ସରକାରଙ୍କ ଏକ ରିପୋର୍ଟ ଅନୁସାରେ ରାଜ୍ୟରେ ୩ହଜାର ୯୮୭ ବାଙ୍ଗଲାଦେଶୀ ରହିଛନ୍ତି । କିନ୍ତୁ ପ୍ରକୃତରେ ଏହାଠୁ ଅଧିକ ବିଦେଶୀ ରହୁଥିବା ସୂଚନା ମିଳିଛି । ଅନେକ ସମୟରେ ସମୁଦ୍ର ବାଟରେ ହିଁ ଆତଙ୍କବାଦୀମାନେ ଦେଶକୁ ପଶିବାରେ ନଜର ରହିଛି । କେନ୍ଦ୍ର ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀମାନଙ୍କ ନଜର ରହିଛି । ହେଲେ ତଥାପି ସରକାର ଏ ଦିଗରେ ବେଫିକର । ଯେଉଂ ଥାନା ଗୁଡିକ ରହିଛି ସେଠାରେ ମଧ୍ୟ ବୋର୍ଟ ନାହିଁ କି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନଥିବା କର୍ମଚାରୀମାନେ ସୂଚନା ଦେଇଛନ୍ତି । କେବେ ଏହି ଘଟଣା ଜଣାପଡିବା ପରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓଡିଶାର ମୋଟ ୧୮ଥାନାକୁ ଉପକୂଳ ମାନ୍ୟତା ମିଳିଛି । ହେଲେ କର୍ମଚାରୀଙ୍କ ଅଭାବରୁ ଏହା ସଠିକ ଭାବରେ କାର୍ଯ୍ୟ କରିପାରୁନାହିଁ । କିନ୍ତୁ ତଟ୍ଟ ସୁରକ୍ଷା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି ଯେ, ୨୦୧୧ ମସିହାରେ ଜଣେ ବାଙ୍ଗଲାଦେଶୀ ଅନୁପ୍ରବେଶ କରୁଥିବା ବେଳେ ଧରା ପଡିଥିଲେ ସେବେଠାରୁ ଏପରି ମାମଲା ଆଉ ଦେଖାଯାଇନାହିଁ । ତେବେ କର୍ମଚାରୀଙ୍କ ଅଭାବ ବିଷୟରେ କୈାଣସି ପ୍ରତିକ୍ରିୟା ଦେଇ ନଥିବା ଜଣାପଡିଛି । ବାରମ୍ବାର ଗଣମାଧ୍ୟମରେ ଏପରି ଖବର ପ୍ରକାଶ ହେଉଥିବା ବେଳେ ସରକାର ଚେତୁ ନାହାନ୍ତି ଯେପରି ଭାବରେ ଏକ ଦୁର୍ଘଟଣାକୁ ଅପେକ୍ଷା କରିଥିବା ଜଣାପଡୁଛି ।