ନୂଆପଡ଼ା ଚାଷୀଙ୍କୁ କନ୍ଦାଉଛି ପିଆଜ ! ଅଭାବୀ ବିକ୍ରି ଯୋଗୁଁ ଚାଷୀ ଆଖିରୁ ହଜିଛି ନିଦ

30

କନକ ବ୍ୟୁରୋ : ପ୍ରତିବର୍ଷ ଉନ୍ନତମାନର ପିଆଜ ଚାଷ କରି ନୂଆପଡାର ଚାଷୀ ଦିପଇସା ରୋଜଗାର କରିଥାନ୍ତି । ଗତ ୩ ବର୍ଷ ହେଲା ଜିଲ୍ଲାରେ ମରୁଡି ପରିସ୍ଥିତ ସୃଷ୍ଟି ହେଉଥିବାରୁ ଚାଷୀ ପାରମ୍ପରିକ କୃଷି ପ୍ରଣାଣୀରେ ପରିବର୍ତ୍ତନ କରି ପିଆଜ ଚାଷ କରିଥିଲେ । ଭଲ ଅମଳ ମଧ୍ୟ କରିଛନ୍ତି ହେଲେ ଅଭାବୀ ବିକ୍ରି ଯୋଗୁ ହିନସ୍ତା ହେଉଛନ୍ତି ।

ନୂଆପଡାରେ ଜିଲ୍ଲାରେ ୩୦୦ ହେକ୍ଟରରୁ ଅଧିକ ଜମିରେ ପିଆଜ ଚାଷ ହୋଇଛି । ଜିଲ୍ଲା କୋମନା ବ୍ଲକର ନୂଆଗାଁ, କମକେଡା, କାଲିମାଟି, ଲହଣ୍ଡୋପାଲି, ସାଲେପଡା, ଠୁଟିବର, କାଣ୍ଡେତରା, ସିହିନାମୁଣ୍ଡା ଅଂଚଳରେ ଚାଷୀ ପିଆଜ ଚାଷ କରିଛନ୍ତି । ଚାଷ ଭଲ ହୋଇଥିବା ବେଳେ ଅମଳ ସମୟରେ ଦାଉ ସାଧିଛି କାଳବୈଶାଖୀ । ଅଦିନିଆ ବର୍ଷାରେ କିଛି ପିଆଜ ନଷ୍ଟ ହୋଇଥିବା ବେଳେ ବାକି ଯାହା ଅମଳ ହୋଇଛି ତାର ଅଭାବୀ ବିକ୍ରି ଚାଷୀ ଆଖିରୁ ନିଦ ହଜେଇ ଦେଇଛି । ଅଭାବୀ ବିକ୍ରିର ଶିକାର ହୋଇଥିବା ଚାଷୀ ଏବେ କରଜ ସୁଝିବା ଚିନ୍ତାରେ ଘାଂଟି ହେଉଛନ୍ତି ।

ଜିଲ୍ଲାରେ ପିଆଜ ସଂରକ୍ଷଣର ବ୍ୟବସ୍ଥା ନାହିଁ, କି ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ପିଆଜ ସାଇତା ଘର ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ରଖିବାକୁ ଘର ନାହିଁ, ବିକିବାକୁ ବଜାର କି ମଣ୍ଡିର ବ୍ୟବସ୍ଥା ନାହିଁ ଫଳରେ ଚାଷୀ ବାଧ୍ୟ ହୋଇଛି କ୍ୱିଂଟାଲ ପିଛି ୬ ଶହରୁ ୭ ଶହ ଟଙ୍କାରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି । ସେପଟେ ଚାଷୀ ଅଭାବୀ ବିକ୍ରିର ସ୍ୱୀକାର ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି ବିଭାଗୀୟ ଅଧିକାରୀ । ସବୁ ବେଳେ ସମସ୍ୟ ଘେରର ନୂଆପଡାର ଚାଷୀ । କେତେବେଳେ ମରୁଡି ତ କେତେବେଳେ ଅଭାବୀ ବିକ୍ରି । ଚାଷ କରି ପରିବାର ପୋଷୁଥିବା ଚାଷୀ ସବୁବେଳେ ଏମିତି ହରଡ ଘଣାରେ ପଡୁଛି ।