ଯେତେବେଳେ ୫୦୦ ଜଣ ପଥର ଫିଙ୍ଗାଳି ସିଆରପିଏଫ ଗାଡ଼ିକୁ ଘେରିଲେ! ଆଉ ତା ପରେ…

32

ଅଶାନ୍ତ ହୋଇପଡ଼ିଛି କାଶ୍ମୀର । ପୁଣିଥରେ ମାତିଛନ୍ତି ପଥର ଫିଙ୍ଗାଳୀ । ଜମ୍ମୁ-କାଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗରରେ ସିଆରପିଏଫ ଗାଡ଼ି ତଳେ ଚାପି ହୋଇ ଜଣେ କାଶ୍ମୀର ଯୁବକଙ୍କ ମୃତ୍ୟୁ ପରେ ତାତି ଉଠିଛନ୍ତି ପଥର ଫିଙ୍ଗାଳି । ଶୁକ୍ରବାର ଜାମା ମସଜିଦ୍ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ କେଶର ଅହମ୍ମଦ ନାମକ ଯୁବକ ଆହତ ହୋଇଥିଲେ । ଆଉ ଶନିବାର ହସ୍ପିଟାଲରେ ହିଁ ମୃତ୍ୟୁବରଣ କରିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନୋହଟା ଅଞ୍ଚଳରେ ସିଆରପିଏଫ ଗାଡ଼ି ତଳେ ଚାପି ହେବା ଯୋଗୁଁ କେଶର ଅହମ୍ମଦଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଅନୁଯାୟୀ, ନମାଜ ପାଠ କରିବା ପରେ ଶୁକ୍ରବାର ଜାମା ମସଜିଦ୍ ନିକଟରେ କିଛି ଯୁବକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହି ଗାଡ଼ିଟି ଘଟଣାସ୍ଥଳରେ ପହଞ୍ଚିଥିଲା । ଏପରିକି ବିକ୍ଷୋଭ ସମୟରେ ସୁରକ୍ଷାକର୍ମୀଙ୍କ ଏହି ଗାଡ଼ି ଯୁବକ ମାନଙ୍କୁ ଆଡ଼କୁ ମାଡ଼ି ଆସିଥିଲା । ଫଳରେ ଗାଡ଼ି ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

ତେବେ ସିଆରପିଏଫ ଅଧିକାରୀଙ୍କ କହିବା ମୁତାବିକ ଏହି ଗାଡ଼ିଟି ଭୁଲ ରାସ୍ତାରେ ଯାଉଥିଲା । କିନ୍ତୁ ବିକ୍ଷୋଭ କରୁଥିବା ୫୦୦ରୁ ଅଧିକ ଯୁବକ ସୁରକ୍ଷାକର୍ମୀଙ୍କ ଗାଡ଼ି ଦେଖିବା ପରେ ଏହାକୁ ଘେରି ଯାଇଥିଲେ । ଏପରିକି ଭିଡ଼ ମଧ୍ୟରୁ କିଛି ଯୁବକ ଗାଡ଼ି ମଧ୍ୟରେ ଥିବା ସିଆରପିଏଫର ବରିଷ୍ଠ ଅଧିକାରୀଙ୍କୁ ବାହାରକୁ ଟାଣିବାକୁ ଚେଷ୍ଟା କରିଥିଲେ । ଏପରିକି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଦେଇଥିଲେ । ଯେଉଁ ଅଞ୍ଚଳରେ ଏହି ଘଟଣାଟି ଘଟିଥିଲା ସେଠାରେ ନମାଜକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସଙ୍କୁ ସେଠାରେ ମୁତୟନ କରାଯାଇନଥିଲା । ତେବେ ସିଆରପିଏଫ ବିଭାଗ ଏବେ ଏହି ଘଟଣାର ଯାଞ୍ଚ କରୁଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେବେ ଏହାକୁ ରାଜନୈତିକ ରଙ୍ଗ ଦେବାକୁ ଆଦୌ ସୁଯୋଗ ହାତଛଡ଼ା କରିନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଏହି ଘଟଣାକୁ ଊମର ନିନ୍ଦା କରିବା ସହ ମୁଫତି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉମର କହିଛନ୍ତି, ସିଜଫାୟାର ଅର୍ଥ ଗୁଳି ମାରିବା ନୁହେଁ ବରଂ ଜିପ୍ ବ୍ୟବହାର କରିବା ବୋଲି କହି ତାତ୍ସଲ୍ୟ କରିଛନ୍ତି । ପୂର୍ବରୁ ଜିପ ଉପରେ ବାନ୍ଧି ଗାଁ ଗାଁ ପରେଡ଼ କରାଯାଉଥିଲା କିନ୍ତୁ ଏବେ ସିଧା ଜିପ ଚଢ଼ାଇ ଦିଆଯାଉଛି ।