ଆସୁଛି ନୂଆଁଖାଇ, ସଜେଇ ହେଉଛି ପଶ୍ଚିମ ଓଡ଼ିଶା : ଘରମୁହାଁ ହେଉଛନ୍ତି ବାହାରେ ରହୁଥିବା ପରିବାର ଲୋକ

79

କନକ ବ୍ୟୁରୋ : ଆଉ ଦିନକ ପରେ ପଶ୍ଚିମଓଡିଶାର ବଡପର୍ବ । କି ଧନି କି ଗରିବ ସମସ୍ତେ ପାଳିବେ ନୂଆଁଖାଇକୁ । ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପାଖେର ନୂଆଁ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରିବା ପରେ ନୂଆ ଖାଇବେ ବଲାଙ୍ଗୀରବାସୀ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଲଗ୍ନ ଧାର୍ଯ୍ୟ ହେବା ପରଠୁ ଘରଠୁ ମନ୍ଦିର ସବୁଠି ଚାଲିଛି ଲିପାପୋଛା । ବିଶ୍ୱାସ ରହିଛି, ନୂଆଖାଇରେ ଘରକୁ ଇଷ୍ଟଦେବୀ ମା ଅର୍ଣ୍ଣପୂର୍ଣା ଆସିଥାନ୍ତି, ତେଣୁ ତାଙ୍କ ସ୍ୱାଗତ ପାଇଁ ଏ ସବୁ ପ୍ରସ୍ତୁତି । କୁରେଇ ପତ୍ରରେ ନିର୍ମିତ ଦନାରେ ଧାର୍ଯ୍ୟ ସମୟରେ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ଅନ୍ୟ ସଦସ୍ୟଙ୍କୁ ନୂଆଖାଇବାକୁ ଦେଇଥାନ୍ତି । ତା’ପରେ ରନ୍ଧା ଯାଇଥିବା ବିଭିନ୍ନ ଖାଦ୍ୟକୁ କୁରେଇ, ରେଙ୍ଗାଳ ଖଲିରେ ଖାଇଥାନ୍ତି ସମସ୍ତେ ।

ନୂଆଁଖାଇ ପାଇଁ ପ୍ରସ୍ତୁତି କରୁଛି ସମ୍ବଲପୁର । ମା ସମଲେଶ୍ୱରୀଙ୍କ ମନ୍ଦୁରକୁ ଦିଆଯାଉଛି ନୂଆରୂପ । ମା’ ନୂଆ ଖାଇବା ଆଗରୁ ମନ୍ଦିରରେ ଚାଲିଛି ପ୍ରସ୍ତୁତି । ମନ୍ଦିରରେ ପରିସରକୁ ସଫାସୁତରା କରାଯାଇଛି । ରଙ୍ଗରେ ମା’ଙ୍କ ମନ୍ଦିରକୁ ଚିତ୍ରିତ କରୁଛନ୍ତି କାରିଗର । କେବଳ ସମଲେଶ୍ୱରୀ ମନ୍ଦିର ନୁହେଁ ସମ୍ବଲପୁରରେ ଥିବା ବିଭିନ୍ନ ମନ୍ଦିରରେ ପ୍ରସ୍ତୁତି କରାଯାଇଛି । ନୂଆଁଖାଇ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ କରାଯାଉଛି ।

କଳାହାଣ୍ଡିରେ ବି ନୂଆଁଖାଇର ଧୂମ୍ । ଗ୍ରାମଦେବତୀଙ୍କ ପାଖରେ ନବାନ୍ନ ଲାଗି କରିବା ପରେ ନୂଆ ଖାଇବା ପାଇଁ ଚାଲିଛି ପ୍ରସ୍ତୁତି । ନୂଆଖାଇବା ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖା ଯାଇଥାଏ, ସଭିଏ ଏକା ସାଙ୍ଗରେ ବସି କି ଏକାଠି ଖାଇଥାନ୍ତି । ପୁଣି ନୂଆଁ ଖାଇ ସାରିବା ପରେ ବଡମାନଙ୍କୁ ନୂଆଖାଇ ଜୁଆର ପରମ୍ପରା ସତରେ ନିଆରା । ଯେଉଁ ପରମ୍ପରାକୁ ପଶ୍ଚିମ ଓଡିଶାରେ ନୂଆଁଖାଇ ଭେଟଘାଟ କୁହାଯାଏ ।

ନିଆରା ପରମ୍ପରା, ସଂସ୍କୃତି ଓ ଭାଇଚାରାର ପର୍ବ ହେଉଛି ନୂଆଁଖାଇ, ପଶ୍ଚିମ ଓଡିଶାର ଏହି ପର୍ବକୁ ଲୋକେ ଜଗିରହିଥାନ୍ତି । କାରଣ ଦେଶ ବିଦେଶରେ ରହୁଥିବା ପ୍ରିୟଜନ ଫେରିଥାନ୍ତି ଘରକୁ । ଆଉ ଘରେ ଜମେ ଉତ୍ସବର ମାହୋଲ ।