ଏକାଠି ହେବନି ଲୋକସଭା ଓ ବିଧାନସଭା ନିର୍ବାଚନ : ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାୱତ

29

କନକ ବ୍ୟୁରୋ : ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନକୁ ନା । ଦେଶରେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ଏକାଠି ବିଧାନସଭା ନିର୍ବାଚନ ହୋଇପାରିବନି । ଏହା କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି ରାୱତ । ଦେଶରେ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିସନର ଓ ପି ରାଓ୍ଵତ ସ୍ପଷ୍ଟ କରିଛନ୍ତି । ଏ ଦିଗରେ ରହିଥିବା ସମସ୍ତ ଆଇନଗତ ପ୍ରାବଧାନକୁ କାର୍ଯ୍ୟକାରୀ ନ କରି ଏକକାଳୀନ ନିର୍ବାଚନ କରାଯାଇପାରିବ ନାହିଁ ଏବଂ ବୈଷୟିକ ଦୃଷ୍ଟିରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ହୋଇନାହିଁ ବୋଲି ନିର୍ବାଚନ କମିସନର କହିଛନ୍ତି । ପୂର୍ବରୁ ମଧ୍ୟ ନିର୍ବାଚନ କମିଶନର କହିଥିଲେ ଯେ ଏକକାଳୀନ ନିର୍ବାଚନ ପାଇଁ ୨୪ ଲକ୍ଷ ଇଭିଏମ୍ ଏବଂ ଭିଭିପିଏଟି ଆବଶ୍ୟକ ଏବଂ ତାହା ଉପଲବ୍ଧ ନାହିଁ। ସେ କହିଛନ୍ତି ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ସମ୍ବିଧାନ ସଂଶୋଧନ ମଧ୍ୟ ଆବଶ୍ୟକ ।

source : India.com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସମୟରେ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏ ଦିଗରେ ସର୍ବଦଳୀୟ ବୈଠକ ମଧ୍ୟ ହୋଇସାରିଛି। ତେବେ ସାଂପ୍ରତିକ ସ୍ଥିତିରେ ଏହା ସମ୍ଭବ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିସନର ସ୍ପଷ୍ଟ କରିଛନ୍ତି । ଲୋକସଭା ନିର୍ବାଚନ ଆସନ୍ତାବର୍ଷ ଏପ୍ରିଲ-ମେ’ରେ ହେବ ଏବଂ ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ। ତେବେ ଅନେକ ଦିନ ହେଲାଣି ସାରା ଦେଶରେ ଏକକ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ପ୍ରସଙ୍ଗରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମତି ଜଣାଇଥିଲେ । କିନ୍ତୁ ଏବେ ଏପରି ନିର୍ବାଚନ ସମ୍ଭବ ନୁହେଁ ବୋଲି ସୂଚନା ମିଳିଛି ।