ରାଜସ୍ୱ ନୁହେଁ, ଲୋକଙ୍କ ଜୀବନ ବଞ୍ଚାଇବା ନୂଆ ନିୟମର ମୂଳ ଲକ୍ଷ୍ୟ : ସ୍ପଷ୍ଟ କଲେ କେନ୍ଦ୍ର ପରିବହନ ମନ୍ତ୍ରୀ, ରାଜ୍ୟ ସରକାର ଚାହିଁଲେ କୋହଳ କରିପାରିବେ ଜୋରିମାନା

694

କନକ ବ୍ୟୁରୋ : ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନୂଆ ମଟୋର ଯାନ ସଂଶୋଧିତ ନିୟମ । ଜନତାଙ୍କ ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ରାଜସ୍ୱ ବଢ଼ାଇବା ପାଇଁ ନୁହେଁ ବରଂ ସଡ଼କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଛନ୍ତି । ତେବେ ନୂଆ ନିୟମ ଲାଗୁକଲା ପରେ ଚାରିଆଡ଼େ ଜନଅସନ୍ତୋଷ ବୃଦ୍ଧି ପାଇଛି । ଲୋକମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ କିଛିଟା ନରମ ହୋଇଛନ୍ତି । ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ରାଜ୍ୟମାନେ ଚାହିଁଲେ ନୂଆମୋଟର ଯାନ ଆଇନରେ ଥିବା ଜୋରିମାନା ପରିମାଣକୁ କମାଇପାରିବେ । କେନ୍ଦ୍ର ସରକାରଙ୍କ ଆଇନରେ ଆବଶ୍ୟକ ମୁତାବକ ପରିବର୍ତ୍ତନ କରିପାରିବେ ।

ଗଡକରୀ କହିଛନ୍ତି, ସମଗ୍ର ବିଶ୍ୱରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଆମ ଦେଶରେ ଅଧିକ । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୧୦ ଗୁଣ ଜରିମାନା ଆଦାୟର ଉଦ୍ଦେଶ୍ୟ ରାଜସ୍ୱ ସଂଗ୍ରହ ନଥିଲା, ବରଂ ଚାଳକମାନଙ୍କୁ ଶୃଙ୍ଖଳିତ କରିବା । ଲୋକମାନେ ନିୟମ ମାନି ଚଳିଲେ ଜୋରିମାନ ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଗଡକରୀ ।

ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିବାରୁ ବିଭିନ୍ନ ରାଜ୍ୟ ସରକାର ଏହାକୁ କିଛିଟା କୋହଳ କରିବାକୁ ଦାବି କରୁଛନ୍ତି । ଓଡ଼ିଶା ସରକାର ଟ୍ରାଫିକ ଧରପଗଡ଼କୁ ୩ ମାସ ପାଇଁ କୋହଳ କରିଥିବାବେଳେ ଗୁଜୁରାଟ,ମହାରାଷ୍ଟ୍ର ଆଂଶିକଭାବେ ଲାଗୁ କରିଛନ୍ତି । ଏପରିକି ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଆଦି ଏହାକୁ ଲାଗୁ କରିନାହାନ୍ତି ।