ପୁଣି ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ ! ପିସିସି ସଭାପତି ଓ ଟିମକୁ ଭବ୍ୟ ସ୍ୱାଗତ, ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଲେ ନିରଞ୍ଜନ

47

କନକ ବ୍ୟୁରୋ : ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ନୂଆ ଟିମ ଶକ୍ତି ପ୍ରଦର୍ଶନ କରିଛି । ଏଥିପାଇଁ ବିମାନବନ୍ଦରରୁ କଂଗ୍ରେସ ଭବନ ଲୋକାରଣ୍ୟ ହୋଇପଡିଥିଲା । ପରେ କଂଗ୍ରେସ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଓଡିଶା ପ୍ରଭାରୀଙ୍କ ସମେତ ପିସିସି ସଭାପତି ଓ ବରିଷ୍ଠ ନେତା ରାଜ୍ୟରେ କଂଗ୍ରେସକୁ ସରକାରକୁ ଆଣିବା ପାଇଁ ସଂକଳ୍ପ ନେଇଛନ୍ତି । ଗତକାଲି ବିଳମ୍ବିତ ରାତି ଯାଏଁ କଂଗ୍ରେସ ଭାବନରେ ସମ୍ବର୍ଦ୍ଧନା ସଭା ଚାଲିଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଦେଶ ଓ ରାଜ୍ୟ ଏବେ ଘୋର ଦୁର୍ଦ୍ଦିନରେ ଗତି କରୁଛି । ସମ୍ବିଧାନ ପରିବର୍ତ୍ତନ କରି ଯିଏ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛି ତାଙ୍କଠାରୁ ଦେଶକୁ ରକ୍ଷା କରିବାକୁ ପଡିବ ।

ମୁଁ ଗୋଷ୍ଠୀ ବିବାଦରେ ବିଶ୍ୱାସ କରେ ନାହିଁ ବୋଲି କହିଥିଲେ ନିରଞ୍ଜନ । ଯିଏ ଭୁବନେଶ୍ୱର ଛାଡି ଗାଁରେ ରହିବ, ସିଏ ଟିକେଟ ପାଇବ । କାନକୁହା ଓ ଦୁର୍ନୀତିଗ୍ରସ୍ତଙ୍କୁ ପ୍ରଶୟ ଦିଆଯିବନାହିଁ । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଥିଲେ-ଗଣମାଧ୍ୟମରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଲେ ବରଦାସ୍ତ କରାଯିବ ନାହିଁ । ସମ୍ବର୍ଦ୍ଧନା ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରଦୀପ ମାଝି, ଭକ୍ତ ଦାସ , ପ୍ରସାଦ ହରିଚନ୍ଦନ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ରାତିରେ ପୂରା ଟିମ୍ ପୁରୀ ଯାଇଛନ୍ତି । ଜଗନ୍ନାଥଙ୍କ ଦର୍ଶନ ପରେ ପୁରୀରୁ ଭୁବନେଶ୍ୱର ଫେରି କଂଗ୍ରେସ ଭବନରେ ସବୁ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ନିରଞ୍ଜନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଶନିବାର ଦିଲ୍ଲୀରୁ ଭୁବନେଶ୍ୱରରେ ଆସିଲେ ନୂଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ କଂଗ୍ରେସ ନେତା ଓ କର୍ମୀ ନିରଞ୍ଜନଙ୍କ ସହ ପିସିସିର ନୂଆ ଟିମକୁ ବିରାଟ ପଟୁଆରରେ କଂଗ୍ରେସ ଭବନକୁ ପାଛୋଟି ନେଇଥିଲେ । ନୂଆ ମଙ୍ଗୁଆଳଙ୍କୁ ନେଇ କଂଗ୍ରେସ ନେତା ଓ କର୍ମୀ ସମ୍ଭବନାର ସ୍ୱପ୍ନ ଦେଖୁଥିବା ବେଳେ ଏବେ ଦଳକୁ ସଜାଡିବା ନିରଞ୍ଜନଙ୍କ ପାଇଁ ସବୁଠୁ ବଡ ଆହ୍ୱାନ । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଜୋସରେ କଂଗ୍ରେସ । ନିରଞ୍ଜନ ପଟ୍ଟନାୟକ ଓ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଗତକାଲି ରାତିରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କୁ ଭେଟିଥିଲେ । ଭୁବନେଶ୍ୱରରେ ଏହି ସାକ୍ଷାତ ହୋଇଥିଲା । ସଭାପତି ହେବା ପରେ ନିରଞ୍ଜନ ପଟ୍ଟନାୟକ ଜୟନ୍ତୀ ପଟ୍ଟନାୟକଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।