ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ : ସ୍ୱାମୀ ସାଜିଥିଲେ ଭିଲେନ । ଡିସିପି କହିଲେ, ନିକିତାଙ୍କ ମୃତ୍ୟୁର ପୂରା କାହାଣୀ

616

କନକ ବ୍ୟୁରୋ : ପଦାକୁ ଆସିଲା ଅଭିନେତ୍ରୀ ନିକିତା ମୃତ୍ୟୁର ସତ । ସ୍ୱାମୀ ହିଁ ସାଜିଥିଲା ଭିଲେନ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦକୁ କେନ୍ଦ୍ରକରି ନିକିତାଙ୍କ ଘର ଛାତ ଉପରେ ଉଭୟ ଠେଲାପେଲା ହୋଇଥିଲେ । ଆଉ ଏହି ସମୟରୁ ଛାତ ଉପରୁ ତଳକୁ ପଡିଯାଇଥିଲେ ନିିକିତା । ପୋଲିସ ଆଗରେ ଏହି କଥାକୁ ସ୍ୱିକାର କରିଛନ୍ତି ନିକିତାର ସ୍ୱାମୀ ଲିପନ । ପୋଲିସ ନିକିତାଙ୍କ ସ୍ୱାମୀକୁ ଗିରଫ କରିବା ସହ ଆଜି ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।

କୌଣସି ସିନେମା କିମ୍ବା ଟିଭି ସିରିଏଲର ଦୃଶ୍ୟ ନଥିଲା । ଇଏ ଥିଲା ବାସ୍ତବ ଜୀବନର ସତ କାହାଣୀ । ଡିସିପିଙ୍କ ତଥ୍ୟ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ନିକିତାଙ୍କ ଘରକୁ ଆସିଥିଲେ ଲିପନ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଚାଲିଯାଇଥିଲେ ଘରର ଛାତ ଉପରକୁ । ଆଉ ସେଠାରେ କିଛି ସମୟ ପାଇଁ ନିକିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ହୋଇଥିଲା ଠେଲାପେଲା । ଛାତ ଉପରୁ ତଳକୁ ଖସିପଡିଥିଲେ ନିକିତା । ଆଉ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ପୋଲିସ ଆଗରେ ଏକଥାକୁ ସ୍ୱୀକାର କରିଛନ୍ତି ଲିପନ ।

ସ୍ୱାମୀ -ସ୍ତ୍ରୀ ମଧ୍ୟରେ ବିବାଦ ଲାଗିରହିଥିଲା ବହୁ ଆଗରୁ । ପୋଲିସର କହିବାନୁସାରେ ଉଭୟ ସ୍ୱାମୀ -ସ୍ତ୍ରୀ ନିଷ୍ପତି ନେଇଥିଲେ ବାପଘରେ ରହିବେ ନିକିତା । କିନ୍ତୁ ସପ୍ତାହରେ ୩ଦିନ, ଶୁକ୍ରବାର, ଶନିବାର ଏବଂ ରବିବାର ନିକିତା ଲିପନଙ୍କ ଘରେ ରହିବେ । ଏହାକୁ କେନ୍ଦ୍ରକରି ସେଦିନ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାର ପରିଣାମ ଥିଲା ନିକିତାଙ୍କ ମୃତ୍ୟୁ ।

ବାହାଘରର ୪ ମାସ ପରେ ନିକିିତା ଓ ତାଙ୍କ ସ୍ୱାମୀ ଲିପୁନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ମନୋମାଳିନ୍ୟ । ଏପରିକି ଏହି ପାରିବାରିକ କାହାଣୀ ଭିତରେ ଥିଲା ଶାଶୁ -ବୋହୁ କଳି । ନିକିତାଙ୍କ ଘରକୁ ଯିବା ଆସିବା ସମୟକୁ ନେଇ ଆପତି ଉଠାଇଥିଲେ ତାଙ୍କ ଶାଶୁ । ଯାହାକୁ କେନ୍ଦ୍ର କରି ଉଭ୍ୟଙ୍କ ମଧ୍ୟରେ କଥାକଟି ମଧ୍ୟ ହୋଇଛି । ଏପଟେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଧୀରେ ଧୀରେ ଉଗ୍ର ହେଉଥିବା ବିବାଦ । ଯାହାର ଅନ୍ତ ହୋଇଥିଲା ନିକିତାଙ୍କ ମୃତ୍ୟୁରେ ।

ନିକିତାଙ୍କ ସ୍ୱାମୀ ବିରୋଧରେ ପୋଲିସ ଲଗାଇଛି ସଙ୍ଗୀନ ଦଫା । ହିଂସା, ହତ୍ୟା, ଏବଂ ଷଡଯନ୍ତ୍ର ଭଳି ଦଫା ଲଗାଇଛି ପୋଲିସ । ଏଥିସହ ଶାଶୁ ଏବଂ ଶ୍ୱଶୁରଙ୍କ ବିରୋଧରେ ବି ଘରୋଇ ହିଂସାର ଦଫା ଲାଗିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ସାରା ରାଜ୍ୟରେ ଏସିପି ନିକିତା ଭାବେ ପରିଚିତ ଏହି ଅଭିନେତ୍ରୀଙ୍କର ଛାତରୁ ଖସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ନିକିତାଙ୍କ ପରିବାର ଲୋକେ ଏଥିପାଇଁ ତାଙ୍କ ସ୍ୱାମୀଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ । ଶେଷରେ ଅଭିଯୋଗ ସତ ହେଲା । ଗିରଫ ହେଲା ନିକିତାଙ୍କ ସ୍ୱାମୀ ଲିପନ ।