ବୈଜୟନ୍ତଙ୍କ ଫିକା ପଡ଼ିଲାଣି ଗେରୁଆ ପ୍ରେମ ! କହିଲେ, ଓଡ଼ିଶାରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ଚୁପ୍ ବସିଛି ବିଜେପି ।

ଏବେ ପାଣିପାଗ ପୁରା ବଦଳି ଯାଇଛି  । କ’ଣ ହେଇଛି କେଜାଣି ପଣ୍ଡା ବାବୁଙ୍କର ମନ୍ତବ୍ୟରୁ ବିଜେପିର ମୋହ ଛାଡ଼ିଗଲା ଭଳି ଅନୁଭବ ହେଉଛି ।

486

କନକ ବ୍ୟୁରେ: ବିଜେପିକୁ ନାକ ଟେକୁଛନ୍ତି ବୈଜୟନ୍ତ । ଏକଥା ଆମେ କହୁନୁ ଖୋଦ୍ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ମହାଶୟ ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି । ଦୀର୍ଘ ୭ମାସ ହେବ ବଜେଡିକୁ ବାଏ ବାଏ କହିଥିବା ଉପକୂଳ ଓଡ଼ିଶାର ଏହି ପୁରୁଖା ନେତାଙ୍କୁ ବିଜେପି ବାୟା କରିଥିବା ଦେଖିବାକୁ ମିଳିଥିଲା । ଏପରିକି ବିଜେପି ଦଳରେ ଯୋଗଦେବା ଚର୍ଚ୍ଚା ମଧ୍ୟ ରାଜନୀତି ପାରଦକୁ ବଢ଼ାଇଥିଲା । କିନ୍ତୁ ଏବେ ପାଣିପାଗ ପୁରା ବଦଳି ଯାଇଛି  । କ’ଣ ହେଇଛି କେଜାଣି ପଣ୍ଡା ବାବୁଙ୍କର ମନ୍ତବ୍ୟରୁ ବିଜେପିର ମୋହ ଛାଡ଼ିଗଲା ଭଳି ଅନୁଭବ ହେଉଛି ।

ଗତକାଲି ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କ ‘ଲୁଟେଏନ୍ସ ମାଭେରିକ’ ପୁସ୍ତକ ଉନ୍ମୋଚନ ଅବସରରେ ପଣ୍ଡା ବାବୁ ତାଙ୍କର ଆଗାମୀ ରାଜନୀତି ଭବିଷ୍ୟତ ବିଷୟରେ ମନକଥା ବଖାଣିଛନ୍ତି । ବୈଜୟନ୍ତ କହିଛନ୍ତି ଯେ, ବିଜେପି ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେକୁ ଦିତ୍ୱୀୟ ସ୍ଥାନରୁ ହଟାଇ ଚୁପ ବସି ପଡ଼ିଛି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ବିରୋଧରେ ନରମ ଭାବ ଦେଖାଇବା ତାଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଛି ବୋଲି କହିଛନ୍ତି ବୈଜୟନ୍ତ । ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର କିଛି ତ୍ରୁଟି ଯୋଗୁଁ ତୃତୀୟ ସ୍ଥାନକୁ ଖସିଯାଇଥିବା ବେଳେ ଏବେ ବିଜେପି ମଧ୍ୟ ସମାନ ଭୁଲକୁ କରୁଛି ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ପଣ୍ଡା ବାବୁ ।

BAIJAYANTAବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଉପେର ବୈଜୟନ୍ତ କହିଛନ୍ତି ଯେ, ଦୀର୍ଘ ୭ ମାସ ହେବ ମୁଁ ବିଜେଡିରୁ ଇସ୍ତଫା ଦେଇଛି । ଏହାରି ମଧ୍ୟରେ ବିଜେପି ପ୍ରତି ମୋର ଦୁବର୍ଳତା ଥିବା କିଛି ଲୋକ ପ୍ରଚାର କରୁଛନ୍ତି । ଏପରିକି ମୋର କିଛି ଆଟିକିଲ୍ ଏବଂ ଟ୍ୱିଟ୍ କୁ ପ୍ରଧାନମନ୍ତ୍ରୀଙ୍କ ପିଆରଓଙ୍କ ଭଳି କିଛି ଲୋକଙ୍କୁ ଲାଗୁଛି । କିନ୍ତୁ ଏହା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଜେଡି ଛାଡ଼ିବା ପରେ ମୁଁ ରାଜ୍ୟର ଅନେକ ସ୍ଥାନକୁ  ବୁଲି ଲୋକଙ୍କ ସହ ତୃଣମୂଳ ସ୍ତରରେ ମିଶୁଛି । ମୁଁ ଉଭୟ ବିଜେଡି ଏବଂ ବିଜେପିକୁ ସମାଲୋଚନା କରୁଛି । ନୂଆ ଦଳ ଗଢ଼ିବା ପାଇଁ ଯଥେଷ୍ଟ ସୟମ ମୋ ପାଖରେ ଅଛି । କିନ୍ତୁ ମୁଁ ସେ ବାବଦରେ କୌଣସି ନିଷ୍ପତି ନେଇନାହିଁ । ଆସନ୍ତା ୨ ସପ୍ତାହ ମଧ୍ୟରେ ଆଗାମୀ କାର୍ଯ୍ୟପନ୍ଥା ପାଇଁ ନିଷ୍ପତି  ନେବି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ତେବେ ପଣ୍ଡା ବାବୁଙ୍କୁ ନେଇ ରାଜ୍ୟ ରାଜନୀତିରେ ସସପେନ୍ସ ବଢ଼ୁଥିବା ବେଳେ ପଣ୍ଡା ବାବୁ ଆଗକୁ କେଉଁ ଗୁଗଲୀ ଛାଡ଼ିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।