ଗୁମର ଖୋଲିବ ଏନଆଇଏ ! କେମିତି ଓ କାହିଁକି ଲାଇନଚ୍ୟୁତ ହେଲା ହୀରାଖଣ୍ଡ

41

କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଏନ୍ଆଇଏ । କୁନେରୁ ଷ୍ଟେସନରେ ରେଳ ଦୁର୍ଘଟଣା ପଛରେ କିଛି ବଡଧରଣର ଷଡଯନ୍ତ୍ର ରହିଛି କି, ସେନେଇ ଛାନଭିନ କରିବ ନାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ବିଶେଷ କରି ଆନ୍ତର୍ଘାତୀ କାର୍ଯ୍ୟ କିମ୍ବା ଦେଶବିରୋଧୀ ଷଡଯନ୍ତ୍ରର ତଦନ୍ତଭାର ନେଇଥାଏ ଏନ୍ଆଇଏ । ତେଣୁ ରେଳ ଦୁର୍ଘଟଣା ପଛରେ ଏଭଳି କିଛି ଶକ୍ତିଙ୍କ ସଂପୃକ୍ତି ଉପରୁ ପରଦା ହଟାଇବାକୁ ତନାଘନା ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ଆନ୍ଧ୍ରପ୍ରଦେଶର କୁନେରୁ ଷ୍ଟେସନରେ ପହଂଚିଛି ଏନଆଇଏ ଟିମ୍ । ଜାତୀୟ ତଦନ୍ତକାରୀ ସଂସ୍ଥାର ୪ଜଣିଆ ଟିମ୍ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହେଲା ତାର ଖୋଳତାଡ କରିବ ଏହି ତଦନ୍ତକାରୀ ଦଳ । ଦୁର୍ଘଟଣା ପଛରେ କିଛି ଷଡଯନ୍ତ୍ର ରହିଛି କି ସେନେଇ ପ୍ରମାଣ ଯୋଗାଡ କରିବ ।

ଉତରପ୍ରଦେଶ କାନପୁରରେ ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁ ହେବା ଘଟଣାର ଛାନଭିନ କରୁଛି ଏନଆଇଏ । ଏହି ଦୁର୍ଘଟଣା ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ସଂପୃକ୍ତି ଥିବାରୁ ତନାଘନା ଚଳାଇଛି ଏନଆଇଏ । ଆଉ ଏବେ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ମଧ୍ୟ ତଦନ୍ତଭାର ହାତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଏଥିରୁ ଅନୁମାନ କରି ହେଉଛି ଯେ, ଏହି ଦୁର୍ଘଟଣା ପଛରେ କିଛି ଷଡଯନ୍ତ୍ର ରହିଥିବା ସନ୍ଦେହ କରୁଛି ସଂସ୍ଥା ।

କିଛି ସମୟ ପୂର୍ବରୁ ସେହି ରାସ୍ତାଦେଇ ଏକ ମାଲବାହୀ ଟ୍ରେନ ସୁରକ୍ଷିତ ଯାତ୍ରା କରିଥିଲା

ଏହାର ଠିକ ପରେ ହୀରାଖଣ୍ଡ ଏକ୍ସପ୍ରେସ ଗଲାବେଳେ କିଭଳି ଦୁର୍ଘଟଣାଗ୍ରସ୍ତ ହେଲା?

ଦୁର୍ଘଟଣା ପୂର୍ବରୁ ଟ୍ରେନ ଚାଳକ ଏକ ବିସ୍ଫୋରଣ ଶବ୍ଦ ଶୁଣିଥିବା କହିଥିଲେ

ବିସ୍ଫୋରଣ କରି କେହି ରେଳ ଧାରଣାରୁ ଫିସପ୍ଲେଟ ବାହାର କରିନଥିଲେ ତ?

ଏସବୁ ସମ୍ଭାବ୍ୟ ଦିଗକୁ ଅନୁଧ୍ୟାନ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଆଗକୁ ସାଧାରଣତନ୍ତ୍ର ଦିବସ ଥିବାରୁ ଲାଲ ଇଲାକାରେ ଆତଙ୍କ ଖେଳାଇବାକୁ ମାଓବାଦୀମାନେ ଏହି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ସେପଟେ ଏନଆଇଏକୁ ସହଯୋଗ କରୁଛି ଆନ୍ଧ୍ର ପୋଲିସର ସିଆଇଡି । ଏଡିଜି ଦ୍ୱାରୀକା ତିରୁମାଲା ରାଓଙ୍କ ସହ ଅନ୍ୟ ବରିଷ୍ଠ ଏଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଛାନଭିନ କରିଛନ୍ତି ।

ଏପଟେ ରେଳବାଇ ପକ୍ଷରୁ ମଧ୍ୟ ପୁରା ଘଟଣାର ଅନୁସନ୍ଧାନ କରାଯିବ । ସିକନ୍ଦରାବାଦ ଦକ୍ଷୀଣ କେନ୍ଦ୍ର ରେଳବାଇର ସେଫଟି କମିଶନର ରାମ କ୍ରିପାଲ ଯାଦବ ସମୁଦାୟ ଦୁର୍ଘଟଣାର ତଦନ୍ତ କରିବେ । ରାୟଗଡାରେ ଥିବା ଅଫିସରର୍ସ ରେଷ୍ଟ ହାଉସରେ ସାକ୍ଷ୍ୟଗ୍ରହଣ କରାଯିବ । ଏଥିସହ ଆସନ୍ତାକାଲି ବିଶାଖପାଟଣା ଡିଆରଏମଙ୍କ କାର୍ଯ୍ୟାଳୟରେ ଶୁଣାଣି ହେବ । ଏଥିରେ ଯେକୌଣସି ବ୍ୟକ୍ତି ସାକ୍ଷ୍ୟ ଦେଇପାରିବେ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।