ଅଖତର ଖାନଙ୍କୁ ଛାଡିଲା ଏନ୍ଆଇଏ ! ଅଧିକାରୀ କହିଲେ, ଆବଶ୍ୟକ ହେଲେ ପୁଣି ହେବ ଡାକରା

18

କନକ ବ୍ୟୁରୋ : ଅଖତାର ଖାନଙ୍କୁ ଏନଆଇଏର ଜେରା ଘଟଣାରେ ନୂଆମୋଡ । ଆତଙ୍କବାଦୀ ଲିଙ୍କ ସନ୍ଦେହରେ ଦୀର୍ଘ ୭ ଘଂଟା ଧରି ମାରାଥନ ଜେରା ପରେ ଛାଡିଦେଲା ଜାତୀୟ ତଦନ୍ତକାରୀ ସଂସ୍ଥା । ପୁଅ ଲିଆକତ ଖାନଙ୍କୁ ହସ୍ତାନ୍ତର କରିଛି ପୁଲିସ । ଦେଶଦ୍ରୋହ କାର୍ଯ୍ୟକଳାପ ସନ୍ଦେହରେ କଟକ କିଶନନଗରସ୍ଥିତ ସାମନ୍ତରାପୁର ଭଡା ଘରୁ ଅଖତାରଙ୍କୁ ଉଠାଇ ଆଣିଥିଲା ପୁଲିସ ।

ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟରେ ତାଙ୍କୁ ପଚରା ଉଚରା କରିଥିଲେ ଏନଆଇଏର ୭ ଜଣିଆ ଟିମ୍ । ଏଥିସହ ତାଙ୍କ ବାସଭବନରେ ମଧ୍ୟ ୪ ଘଂଟା ଧରି ରେଡ କରାଯାଇଥିଲା । ଅପରାହ୍ନ ସାଢେ ୨ଟାରୁ ଅଖତାରଙ୍କୁ ଉଠାଇ ଆଣି ସାଉଦି ଆରବ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ ତଦନ୍ତକାରୀ ଟିମ୍ । ତେବେ ଆବଶ୍ୟକ ପଡିଲେ ପୁଣି ଥରେ ତାଙ୍କୁ ଡକାଯାଇପାରେ ବୋଲି କହିଛନ୍ତି ଏନଆଇଏ ଅଧିକାରୀ ।

ସୂଚନା ମୁତାବକ, ଅଖତାର ହୁସେନ୍ ଖାନ୍ ସାଉଦୀ ଆରବରେ ୧୦ ବର୍ଷ ଧରି ରହି ଆସୁଥିଲେ ଏବଂ ଗତ ୪ ବର୍ଷ ହେଲା ସେଠାରୁ କାମଛାଡ଼ି ସେ ନିଜ ଘରକୁ ଫେରିଆସିଛନ୍ତି । କିନ୍ତୁ ତାଙ୍କ ପାଖକୁ ନିୟମିତ ଭାବେ କୋଲକାତାରୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ କଲ ଆସେ । କିନ୍ତୁ ଏହି ଅଜଣା ବ୍ୟକ୍ତିଙ୍କ ବିଷୟରେ ଘର ଲୋକଙ୍କ ପାଖରେ ମଧ୍ୟ କୌଣସି ସୂଚନା ନାହିଁ । ୨୦୧୫ ଡିସେମ୍ବରରେ କଟକର ଜଗତପୁରରୁ ମୌଲାନା ଅବଦୁଲ ରେହମନ୍ ଆତଙ୍କୀ ଲିଙ୍କରେ ଗିରଫ ହେବାପରେ ଏହି ଘଟଣା ଆତଙ୍କୀ ଲିଙ୍କର ନୂଆ ସନ୍ଦେହ ସୃଷ୍ଟି କରିଛି ।