ଆଉ ଦିନ କେଇଟା ପରେ ନୂଆବର୍ଷ ! ନୂଆ ସକାଳରେ କ’ଣ ସଙ୍କଳ୍ପ ନେବେ, ଏବେ ଠାରୁ ସ୍ଥିର କରିନିଅନ୍ତୁ . . . .

177

ଆଉ ଦିନ କେଇଟାରେ ସରିଯିବ ବର୍ଷ ୨୦୧୮ । ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣି ଆସିବ  ଆଉ ଏକ ବର୍ଷ, ନୂଆ ବର୍ଷ ।  ସବୁକିଛି ଲାଗିବ ନୂଆ ନୂଆ । ପୁରୁଣାକୁ ବିଦାୟକାଳୀନ ଦୁଃଖ  ଓ ନୂଆକୁ ସ୍ୱାଗତ କରିବାର ଆନନ୍ଦରେ ମନ ଓ ହୃଦୟ ଖୋଜିବ କିଛି ନୂଆ ସମ୍ଭାଷଣ । ଆଉ ଏହାରି ଭିତରେ ପୁରୁଣାକୁ ଭୁଲି କିଛି ନୂଆ କରିବାର ଅଭିପ୍ରାୟ  ବସାବାନ୍ଧିବ ମନରେ । ନୂଆବର୍ଷ  ଅନେକ ନୂଆ ଉତ୍ସାହ ଓ ନୂଆ ଆନନ୍ଦ ନେଇ ଆସେ  । ଲୋକେ ଅତୀତରେ ଘଟିଯାଇଥିବା ଖରାପ ଘଟଣାକୁ ଭୁଲି  କିଛି ଭଲ କରିବାକୁ ସ୍ଥିର କରନ୍ତି । ନୂଆବର୍ଷରେ  ଜୀବନକୁ ଆଉଥରେ ନୂଆକରି ଗଢିବାର ଯୋଜନା ତିଆରି ହୁଏ । ଏକ ସର୍ବେକ୍ଷଣରୁ  ଜଣପଡିଛି ଯେ,  ଯୁବଗୋଷ୍ଠୀ ଅଧିକ ନୂଆବର୍ଷ ସଂକଳ୍ପ କରିଥାନ୍ତି ।  ମାତ୍ର ଖୁବ୍  ଲୋକ କିଛି ମାସ ପର୍ଯ୍ୟନ୍ତ  ଏହାକୁ ମାନିଥାନ୍ତି ।  ଏହି ସଂକଳ୍ପ ସାଧାରଣତଃ ବ୍ୟବହାର ପରିବର୍ତ୍ତନ ଉପରେ ହୋଇଥାଏ ।

ନୂଆବର୍ଷରେ ଲୋକେ  ନେଉଥିବା  ଲୋକପ୍ରିୟ ସଂକଳ୍ପ –
୧ – ନିଜର ପୁରୁଣା ଅଭ୍ୟାସକୁ ଛାଡିବା
୨ – ଲକ୍ଷ୍ୟ ସ୍ଥଳରେ ପହଁଚିବା ନେଇ କଠୋର ପରିଶ୍ରମ କରିବା
୩ -ଧୂମପାନ ପରିତ୍ୟାଗ କରିବା
୪- ଓଜନ ହ୍ରାସ କରିବା
୫ –ମନ ଭିତରେ  ଥିବା  ଭୟକୁ ସାମ୍ନା କରିବା
୬ – ସଂଚୟ ଆରମ୍ଭ କରିବା
୭- ପରିବାର ଓ ନିଜକୁ ସମୟ ଦେବା
୮ -ଅଧା ହୋଇଥିବା କାମ ପୂରଣ କରିବା
୯- ନିଜ ଜୀବନକୁ ନେଇ ଖୁସି ହେବା ଶିଖିବା
ନୂଆବର୍ଷ ସଂକଳ୍ପ ବା ‘ନିଉ ଇୟର ରିଜଲ୍ୟୁସନ’  ମୁଖ୍ୟତଃ  ପଶ୍ଚିମ ଦେଶମାନଙ୍କରେ  ଏକ ପ୍ରସିଦ୍ଧ ପ୍ରଥା । କିନ୍ତୁ ବର୍ତ୍ତମାନ  ଏହା ପୂରା  ବିଶ୍ୱରେ ଦେଖାଯାଉଛିି । ନୂଆ ବର୍ଷରେ ପ୍ରତିଜ୍ଞା  କରିବାର  ପ୍ରଥା ପ୍ରଥମେ  ବେବିଲୋନୀୟମାନେ  ୪୦୦୦ ବର୍ଷ ପୂର୍ବରୁ ପ୍ରଚଳନ  କରିଥିଲେ ।  ସେମାନେ ନୂଆବର୍ଷ  ଆରମ୍ଭରେ  ସେମାନଙ୍କ  ଦେବତାମାନଙ୍କ ପାଖରେ ଭଲ କାମ  କରିବାଲାଗି ପ୍ରତିଜ୍ଞା କରୁଥିଲେ । ମାର୍ଚ୍ଚ ମାସର ମଧ୍ୟ ଭାଗରୁ ଆରମ୍ଭ  ହେଉଥିବା ସେମାନଙ୍କର ସେଇ  ନୂଆବର୍ଷରେ  ସେମାନେ  ଉଧାର ନେଇଥିବା  ଜିନିଷ ଫେରାଇବା ସହ ନୂଆ  କରଜ ମଧ୍ୟ ଦେଉଥିଲେ ।  ବେବିଲୋନୀୟମାନେ  ସେମାନଙ୍କ ସଂକଳ୍ପକୁ ଖୁବ୍  ନିଷ୍ଠାର ସହ ପାଳନ  କରୁଥିଲେ ।