ଯଦି ନିର୍ଦ୍ଧାରିତ ସମୟରେ ପହଂଚି ପାରିଲାନି ଆପଣଙ୍କ ପାର୍ସଲ ତେବେ ସଂସ୍ଥାକୁ ଦେବାକୁ ପଡିବ କ୍ଷତିପୂରଣ; ଜାଣନ୍ତୁ କିଭଳି ଓ କେଉଁଠି କରିବେ ଅଭିଯୋଗ

80

ଯଦି କୌଣସି କୋରିୟର ସଂସ୍ଥା କିମ୍ବା ଡାକ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଆପଣ ପଠାଇଥିବା ପାର୍ସଲ ନିର୍ଧାରିତ ସମୟରେ ପହଂଚି ପାରିଲା ନାହିଁ ତେବେ ଏନେଇ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବ ସଂସ୍ଥା ତଥା ଡାକ ବିଭାଗ । ଏକଥା ଆମେ କହୁ ନାହୁଁ ବରଂ ନିକଟରେ ଶୁଣାଯାଇଥିବା ଏକ ନିର୍ଦ୍ଦେଶାନାମାରେ ସ୍ପଷ୍ଟ କରାଯାଇଛି । ନିର୍ଧାରିତ ସମୟରେ ଜିନିଷର ଡେଲିଭରୀ ନଦେବା କାରଣରୁ ଉପଭୋକ୍ତା ଫୋରମ ପକ୍ଷରୁ ଭାରତୀୟ ଡାକ ବିଭାଗକୁ ସେବାରେ ଅନିୟମିତତା ନେଇ ଦୋଷୀ କରିଛି ଏବଂ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି ।

ପ୍ରକୃତ ଘଟଣାଟି ଏହା ଥିଲା କି, ଭୋପାଳର ଅବଧିପୁର ଅଂଚଳରେ ରହୁଥିବା ସୁଶାନ୍ତ ରାୟ ନାମକ ଜଣେ ବ୍ୟକ୍ତି ମାଧ୍ୟମିକ ଶିକ୍ଷା ମଣ୍ଡଳ ସ୍ଥିତ ପୋଷ୍ଟ ଅଫିସ ଯାଇ ୧୧ ଫେବ୍ରୃଆରୀ ୨୦୧୪ରେ ନୂଆ ଦିଲ୍ଲୀକୁ ଏକ ପାର୍ସଲ ପଠାଇଥିଲେ । ହେଲେ ପାର୍ସଲ ନିର୍ଧାରିତ ସମୟରେ ସେଠାରେ ପହଂଚିନ ଥିଲା । ଏନେଇ ବ୍ୟକ୍ତି ଜଣକ ମାର୍ଚ୍ଚ ୩ ତାରିଖରେ ମାଧ୍ୟମିକ ଶିକ୍ଷା ମଣ୍ଡଳ ସ୍ଥିତ ପୋଷ୍ଟ ଅଫିସରେ ଯୋଗାଯୋଗ କରିଥିଲେ କିନ୍ତୁ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଏହାପରେ ସେ ଏସଂପର୍କରେ ପୋଷ୍ଟ ଅଫିସରେ ଅଭିଯୋଗ କରିଥିଲେ । ହେଲେ ବିଭାଗ ତରଫରୁ ବିନା କୌଣସି ତଦନ୍ତ କରି ତାଙ୍କର ଅଭିଯୋଗକୁ ବନ୍ଦ କରିଦେଇଥିଲେ ।

ଏହାପରେ ୮ ଏପ୍ରିଲ ୨୦୧୪ରେ ତାଙ୍କର ପାର୍ସଲ ତାଙ୍କୁ ଫେରସ୍ତ ମିଳିଥିଲା । ଯାହାକି ପୂରା ଖାଲି ଥିଲା । ଅର୍ଥାତ୍ ପାର୍ସଲରେ ଥିବା ଜିନିଷଟି ଗାଏବ ହୋଇଯାଇଥିଲା । ଏହାକୁ ଦେଖି ବ୍ୟକ୍ତି ଜଣକ ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ଜିଲ୍ଲା ଫୋରମରେ ଡାକ ବିଭାଗ ବିରୋଧରେ କେସ୍ ଫାଇଲ କରିଥିଲେ ଆଉ ଏଥିରେ ତାଙ୍କୁ ସଫଳ ମିଳିଥିଲା ।ମାମଲା ଉପରେ ଡାକ ବିଭାଗ ରାଜ୍ୟ ଆୟୋଗରେ ଅପିଲ କରିଦେଇଥିଲେ । ରାଜ୍ୟ ଆୟୋଗ ଉଭୟ ପକ୍ଷର କଥା ଶୁଣିଥିଲେ । ଏବଂ ପରେ ଡାକ ବିଭାଗ ତରଫରୁ ଦାଖଲ କରାଯାଇଥିବା ଅପିଲକୁ ଖାରଜ କରିଦେଇଥିଲେ ଆୟୋଗ । ଏଥି ସହିତ ଅଭିଯୋଗକାରୀ ବ୍ୟକ୍ତି ବିଶେଷଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
କୌଣସି ବି ବ୍ୟକ୍ତି କରିପାରିବେ ଅଭିଯୋଗ

ଉତ୍ପାଦ କିମ୍ବା ସେବାରେ କୌଣସି ବି ପ୍ରକାରର ସମସ୍ୟା ଥିଲେ ଉପଭୋକ୍ତା କିମ୍ବା ସେହି ଆଧାରରେ ଅନ୍ୟ କୌଣସି ବ୍ୟକ୍ତି କନଜ୍ୟୁମର ଫୋରମରେ ଅଭିଯୋଗ ଦାଖଲ କରିପାରିବେ । ଇଣ୍ଡିଭିଜୁଆଲ ବ୍ୟତୀତ କୌଣସି ପଂଜିକୃତ ସଂସ୍ଥା ମଧ୍ୟ ନିଜର ଅଭିଯୋଗ କନଜ୍ୟୁମର ଫୋରମରେ କରିପାରିବେ ।

କେଉଁଠି କରିବେ ଅଭିଯୋଗ

ଅଭିଯୋଗ କେଉଁଠି କରିବାକୁ ହେବ , ଏହାର ନିର୍ଧାରଣ କନଜ୍ୟୁମଙ୍କର କ୍ଷତିକୁ ଆଧାର କରି କରାଯିବ । ଯଦି କ୍ଷତି ୨୦ ଲକ୍ଷ ଟଙ୍କାରୁ କମ ହୋଇଥିବ ତେବେ ଜିଲ୍ଲା ଫୋରମରେ ଏହାର ଅଭିଯୋଗ କରିପାରିବେ । ୨୦ ଲକ୍ଷରୁ ଅଧିକ ଏବଂ ୧କୋଟି ଟଙ୍କାରୁ କମ କ୍ଷତି ହୋଇଥିଲେ ରାଜ୍ୟ ଆୟୋଗରେ ଆପଣ ଅଭିଯୋଗ କରିପାରିବେ । ସେହିପରି ଯଦି ୧କୋଟିରୁ ଅଧିକ କ୍ଷତି ହୋଇଥିବ ତେବେ ଏନେଇ ରାଷ୍ଟ୍ରୀୟ ଆୟୋଗରେ ଅଭିଯୋଗ କରିବାକୁ ହେବ । ଏହାବ୍ୟତୀତ ଯଦି ଆପଣଙ୍କ କେସ୍ ନିମ୍ନ ଫୋରମରେ ଖାରଜ କରିଦିଆଯାଏ ତେବେ ଏନେଇ ଆପଣ ଉପର ଫୋରମରେ ଅଭିଯୋଗ କରିପାରିବେ । କନଜ୍ୟୁମର ଉପଭୋକ୍ତା ମାମଲାର ହେଲପଲାଇନ ନମ୍ବର (୧୮୦୦୧୧୪୦୦୦) ଏବଂ ୱେବସାଇଟ୍ (consumerhelpline.gov.in)କୁ ଯାଇ ବି ଅଭିଯୋଗ କରିପାରିବେ ।