ବେପରୁଆ ଗାଡିଚାଳନା କରୁଥିବା ବ୍ୟକ୍ତି ପାଇଁ ହେବ କଠୋର ଦଣ୍ଡବିଧାନ : ଟ୍ରାଫିକ ନିୟମ ଭାଙ୍ଗିଲେ ଏଣିକି ଜୋରିମାନା ୫ ଗୁଣା ଅଧିକ

278

କନକ ବ୍ୟୁରୋ : ଟ୍ରାଫିକ୍ ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ୫ଗୁଣା ଜରିମାନା । ଦେଶର ସଡ଼କ ସୁରକ୍ଷାକୁ ବଢାଇବା ପାଇଁ ଉଦ୍ଧିଷ୍ଟ ମଟର ଯାନ ସଂଶୋଧନ ବିଲ ୨୦୧୯କୁ ରାଜ୍ୟସଭାରେ ମଂଜୁରୀ ମିଳିଛି । ବିଲ ସପକ୍ଷରେ ୧୦୮ ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୩ଟି ଭୋଟ ମିଳିଥିଲା । ଏହି ବିଲରେ ବେପାରୁଆ ଭାବେ ଗାଡ଼ି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ରହିଛି କଠୋର ଦଣ୍ଡ ବିଧାନ । ଏହା ସହ ଜରିମାନା ରାଶିକୁ ମଧ୍ୟ ଦୁଇ ଗୁଣା ବଢାଇ ଦିଆଯାଇଛି । ମଦ କିମ୍ବା ନିଶା ସେବନ କରି ଗାଡ଼ି ଚଳାଇଲେ ଜରିମାନା ୫ଗୁଣା ଅଧିକା ଦେବାକୁ ପଡ଼ିବ ।

ବର୍ତ୍ତମାନ ଏହି ବାବଦରେ ୨ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଛି । ନୂଆ ବିଲରେ ରାଷ୍ଟ୍ରପତିଙ୍କ ମୋହର ଲାଗିଲେ ବେପାରୁଆ ଗାଡ଼ି ଚାଳକଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିଭଳି ମଦ କିମ୍ବା ନିଶା ସେବନକାରୀଙ୍କ ପାଇଁ ମଧ୍ୟ ଜରିମାନା ରାଶି ବୃଦ୍ଧି କରାଯାଇଛି । ନାବାଳକ ଗାଡି ଚଳାଇଲେ, ବିପଦଜନକ ଭାବେ ଡ୍ରାଇଭିଂ କଲେ, ବିନା ଲାଇଲେନ୍ସରେ ଗାଡି ଚଳାଇଲେ , ଓଭରଲୋଡ ହୋଇଥିଲେ ବି କଠୋର ଦଣ୍ଡ ଓ ଅଧିକ ଜୋରିମାନାର ବ୍ୟବସ୍ଥା ରହିଛି ।

ମୋଟର ଯାନ ମାନଦଣ୍ଡ ପୂରଣ କରିବାରେ ବିଫଳ ହେଲେ ଗାଡି ନିର୍ମାତା ଶହେ କୋଟି ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିପାରେ କିମ୍ବା ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡିପାରେ କିମ୍ବା ଉଭୟ ହୋଇପାରେ । ସେହିଭଳି ଜଣେ ଠିକାଦାର ସଡକ ଡିଜାଇନରେ ତ୍ରୁଟି କରିଥିଲେ ଲକ୍ଷେ ଯାଏଁ ଜୋରିମାନା ଦେବାକୁ ପଡିପାରେ । ଏହି ଜୋରିମାନା ରାିଶି ପ୍ରତିବର୍ଷ ୧୦ ପ୍ରତିଶତ ଲେଖାଁଏ ବଢିବ ।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଗୋଲଡେନ ଆୱାର ଭାବେ ବିବେଚିତ ସମୟରେ ଚିକିତ୍ସା ଆବଶ୍ୟକ କରୁଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ଏହି ବିଲ୍‌ରେ ରହିଛି । ଡ୍ରାଇଭରଙ୍କ ଆଟେଣ୍ଡାଣ୍ଟଙ୍କୁ ତୃତୀୟ ପକ୍ଷ ବୀମା ପରିସରଭୁକ୍ତ କରାଯିବ । ବୀମା କ୍ଷତିପୂରଣ ରାଶି ୫୦ ହଜାର ଟଙ୍କାରୁ ୧୦ ଗୁଣ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା ରଖାଯାଇଛି । ଦାବି ପ୍ରଦାନ ପ୍ରକ୍ରିୟାକୁ ସହଜ କରାଯାଇଛି ।

ପ୍ରଭାବିତ ବ୍ୟକ୍ତି ଯଦି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନେବାକୁ ରାଜିଥା’ନ୍ତି ତା’ହେଲେ ବୀମା କମ୍ପାନି ଗୁଡ଼ିକ ମାସକ ମଧ୍ୟରେ କ୍ଷତିପୂରଣ ଦେବେ । ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସର୍ବନିମ୍ନ କ୍ଷତିପୂରଣ ରାଶି ବିଲ୍‌ରେ ବୃଦ୍ଧି କରାଯାଇଛି । ଏ କ୍ଷେତ୍ରରେ ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ମୃତ୍ୟୁ ଘଟେ ତାହେଲେ ତାଙ୍କ ସମ୍ପର୍କୀୟଙ୍କୁ ୨୫ ହଜାର ଟଙ୍କା ପରିବର୍ତ୍ତେ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଗୁରୁତର ଆହତ ହେଲେ ତାଙ୍କୁ ୧୨ ହଜାର ୫୦୦ ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ହେବ ।