ଛାତ୍ର ମାନଙ୍କ ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ନୂଆ ନିୟମ । ବାପା-ମା’ଙ୍କ ଚରିତ୍ର ପ୍ରମାଣପତ୍ର ଦେଲେ ହେବ ହଷ୍ଟେଲ ଆଡମିଶନ, ନୂଆ ନିୟମକୁ ନେଇ ତାତିଲେ ଛାତ୍ର

68

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ଏହାର କିଛି ନୂଆ ନିୟମ ବାବଦରେ ଜାଣି ନିଅନ୍ତୁ । ନଚେତ ଆପଣଙ୍କୁ ହଷ୍ଟେଲ ଆଡମିଶନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସୂଚନା ଅନୁଯାୟୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହଷ୍ଟେଲରେ ରହିବାକୁ ହେଲେ ଛାତ୍ରମାନଙ୍କୁ ନିଜର ଚରିତ୍ର ପ୍ରମାଣପତ୍ର ଦେବା ସହ ଅଭିଭାବକ ମାନଙ୍କର ଚରିତ୍ର ପ୍ରମାଣ ପତ୍ର ଦେବାକୁ ପଡିବ । ତେବେ ଏଭଳି ନିୟମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଜୁନିୟର ଡାକ୍ତର ଓ ବିଏଚୟୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମାରପିଟ ହେବା କାରଣରୁ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଗୁଡିକୁ ସେପ୍ଟେମ୍ବର ୨୮ରେ ଖାଲି କରାଯାଇଥିଲା । ତେବେ ପୁଣିଥରେ ରବିବାର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲାଯାଇଛି । ତେବେ ହଷ୍ଟେଲ ଖୋଲାଯିବା ପୂର୍ବରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ପ୍ରଥମତଃ ମାରପିଟରେ ଅଭିଯୁକ୍ତ ଥିବା ୧୩ ଜଣ ଛାତ୍ରଙ୍କୁ ରୁମ ପ୍ରଦାନ କରାଯିବ ନାହିଁ । ଏହାଛଡା ହଷ୍ଟେଲରେ ରହିବାକୁ ହେଲେ ଛାତ୍ର ମାନଙ୍କୁ ନିଜର ଚରିତ୍ର ପ୍ରମାଣପତ୍ର ସହ ଅଭିଭାବକ ମାନଙ୍କର ଚରିତ୍ର ପ୍ରମାଣପତ୍ର ଦେବାକୁ ପଡିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଚଳିତ ବର୍ଷ ଏହି ବିଶ୍ୱବିଦ୍ୟାଳୟରେ ୧୧ ଥର ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଛି । କେତେବେଳେ ହଷ୍ଟେଲର ମେସ ସମସ୍ୟାକୁ ନେଇ ତ ପୁଣି କେତେବେଳେ ବିଦ୍ୟୁତ ସମସ୍ୟାକୁ ନେଇ ଗଣ୍ଡଗୋଳ ଦେଖିବାକୁ ମିଳିଛି । ତେବେ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ମାରପିଟ ପଛରେ କିଛି ପ୍ରଫେସରଙ୍କର ମଧ୍ୟ ହାତ ରହିଛି । ପ୍ରଫେସର ମାନଙ୍କ ମଧ୍ୟରେ ବିଭିନ୍ନ ଗୋଷ୍ଠୀ ରହିଥିବାରୁ ଗଣ୍ଡଗୋଳ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କ୍ୟାମ୍ପସରେ ବାରମ୍ବାର ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ପୋଲିସ ପକ୍ଷରୁ ମଧ୍ୟ ହଷ୍ଟେଲର ୱାର୍ଡନ ମାନଙ୍କୁ ସକରାତ୍ମକ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି ।