ଆସିବ ନୂଆ ୧୦୦ ଟଙ୍କିଆ ନୋଟ୍ ! ଏପ୍ରିଲ୍ ସୁଦ୍ଧା ବଜାରକୁ ଆସିବା ନେଇ ସୂଚନା

51

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂଆ ୧୦୦ ଟଙ୍କିଆ ନୋଟ୍ ଜାରି କରିବ । ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ନୂଆ ନୋଟ୍ ବଜାରକୁ ଆସିବ । ନିକଟରେ ରିଜର୍ଭ ବ୍ୟାଙ୍କ ନୂଆ ୨୦୦ ଟଙ୍କିଆ ନୋଟ୍ ଛପାଇବା ଆରମ୍ଭ କରିଥିଲା । ସେହି ନୋଟଗୁଡ଼ିକ ଛପା ଶେଷ ହେବା ପରେ ନୂତନ ଡିଜାଇନର ୧୦୦ ଟଙ୍କିଆ ନୋଟର ଛପା କାମ ଆରମ୍ଭ ହେବ । ନୂଆ ୧୦୦ ଟଙ୍କିଆ ନୋଟର ଆକାର ଏବଂ ଆକୃତି ପୁରୁଣା ନୋଟ୍ ସହ ସମାନ ରହିବ । ଫଳରେ ଏହି ନୋଟ୍ ପାଇଁ ଏଟିଏମଗୁଡ଼ିକୁ ରିକାଲିବ୍ରେସନ୍ କରିବାକୁ ପଡ଼ିବ ନାହିଁ । ନୂଆ ୧୦୦ ଟଙ୍କିଆ ନୋଟ୍ ଆସିବା ବିଷୟରେ ରିଜର୍ଭ ବ୍ୟାଙ୍କ କୌଣସି ସୂଚନା ପ୍ରଦାନ କରିନାହିଁ ।ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

ଏ ପର୍ଯ୍ୟନ୍ତ ଏଟିଏମ୍ ପାଇଁ ୨୦୦ ଟଙ୍କିଆ ନୋଟ୍ ଯୋଗାଣ ଆରମ୍ଭ ହୋଇନାହିଁ । କିନ୍ତୁ ବ୍ୟାଙ୍କଗୁଡ଼ିକ ଏଟିଏମ୍ ପରିଚାଳନା କରୁଥିବା କଂପାନିମାନଙ୍କୁ ଏଟିଏମର ରିକାଲିବ୍ରେସନ୍ ଆରମ୍ଭ କରିବାର ନିର୍ଦେଶ ଦେଇସାରିଲେଣି । ଶେଷ ଥର ପାଇଁ ବିମୁଦ୍ରାକରଣ ପରେ ଏଟିଏମ୍ଗୁଡ଼ିକର ରିକାଲିବ୍ରେସନ୍ କରାଯାଇଥିଲା । ବିମୁଦ୍ରାକରଣ ପରେ ସରକାର ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ ଆଣିଥିଲେ ।

ଗତ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ଇତିହାସରେ ପ୍ରଥମ ଥର ପାଇଁ ୨୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଗଲା । ଏହା ବ୍ୟତୀତ ୫୦ ଟଙ୍କିଆ ନୋଟକୁ ମଧ୍ୟ ନୂତନ ଡିଜାଇନ୍ ସହ ଅଣାଯାଇଛି । ଏବେ ୧୦୦ ଟଙ୍କିଆ ନୋଟ୍କୁ ନୂତନ ରୂପ ପ୍ରଦାନ କରିବା କାମ ଆରମ୍ଭ କରାଯିବ । ବଜାରରେ ଆବଶ୍ୟକ ପରିମାଣର ୨୦୦ ଟଙ୍କିଆ ନୋଟ୍ ଉପଲବ୍ଧ କରାଇବା ପାଇଁ ୬ ମାସ ସମୟ ଲାଗିଯିବ ବୋଲି ଅନୁମାନ କରାଯାଉଛି ।