ରେଳ ଇ-ଟିକଟ ଉପରେ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ଭିସ୍ ଚାର୍ଜ ଛାଡ଼

27

କନକ ବ୍ୟୁରୋ: ଅନଲାଇନରେ ବୁକିଙ୍ଗ ହେଉଥିବା ରେଳ ଟିକଟ ଉପରେ ସର୍ଭିସ୍ ଚାର୍ଜକୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଛାଡ଼ କରାଯାଇଛି । ଗତବର୍ଷ ନଭେମ୍ବରରେ ବିମୁଦ୍ରାକରଣ ଘୋଷଣା କରାଯିବା ପରେ ସର୍ଭିସ୍ ଚାର୍ଜ ଛାଡ଼ କରାଯାଇଥିଲା । ଡିଜିଟାଲ୍ ମାଧ୍ୟମରେ ବୁକିଙ୍ଗ କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ସୁବିଧାକୁ ପ୍ରଥମେ ଜୁନ୍ ୩୦ ଏବଂ ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏବେ ତାହାକୁ ୨୦୧୮ ମାର୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ଆଇଆରସିଟିସି ଜରିଆରେ ରେଳ ଟିକଟର ଅନଲାଇନ୍ ବୁକିଙ୍ଗ ଉପରେ ୨୦ ଟଙ୍କାରୁ ୪୦ ଟଙ୍କା ପର୍ଯ୍ୟନ୍ତ ସର୍ଭିସ୍ ଚାର୍ଜ ଗଣିବାକୁ ପଡ଼ୁଥିଲା । ସେପ୍ଟେମ୍ବର ୨୯ରେ ରେଳ ବୋର୍ଡ ପକ୍ଷରୁ ସର୍ଭିସ୍ ଚାର୍ଜ ଛାଡ଼ ଅବଧି ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ଆଇଆରସିଟିସିକୁ ଜଣାଇ ଦିଆଯାଇଛି । ଆଇଆରସିଟିସିର ୩୩% ରାଜସ୍ୱ ଅନଲାଇନ୍ ବୁକିଙ୍ଗର ସର୍ଭିସ୍ ଚାର୍ଜରୁ ଆସିଥାଏ । ଗତବର୍ଷ ଆଇଆରସିଟିସିର ୧୫୦୦ କୋଟି ଟଙ୍କାର ରାଜସ୍ୱ ମଧ୍ୟରୁ ୫୪୦ କୋଟି ଟଙ୍କା ଏହି ଆକାରରେ ଆଦାୟ କରାଯାଇଥିଲା ।