ନିଲ୍ଲଜତାର ସୀମା ଲଂଘିଲା ପାକିସ୍ତାନ ! ଆତଙ୍କବାଦୀଙ୍କୁ କହିଲା ସ୍ୱାଧୀନତା ସଂଗ୍ରାମୀ, ସେପଟେ ବିବାଦୀୟ ମନ୍ତବ୍ୟ ଦେଇ କପିଲ ଶର୍ମା ସୋ’ରୁ ବିଦା ହେଲେ ସିଦ୍ଧୁ ।

402

କନକ ବ୍ୟୁରୋ : ୪୦ ଜଣ ଯବାନଙ୍କ ମୃତ୍ୟୁକୁ ନେଇ ଭାରତରେ କେଉଁଠି ଶୋକର ମାହୋଲ ତ ଆଉ କେଉଁଠି ତୀବ୍ର ପ୍ରତିକ୍ରିୟା । ହେଲେ ପାକିସ୍ତାନ ମିଡିଆରେ ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀର ଆଖ୍ୟା ଦିଆଯାଇଛି । ‘ଦ ନେସନ୍’ ଖବର କାଗଜରେ ଭାରତୀୟ ଅଧିକୃତ କାଶ୍ମୀରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଆକ୍ରମଣରେ ୪୪ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ଲେଖା ପ୍ରକାଶ ପାଇଛି । ଏପରିକି ଭାରତ ଆଣୁଥିବା ଅଭିଯୋଗ ଭିତିହୀନ ଏବଂ ପାକିସ୍ତାନ ଏଭଳି ଘୃଣ୍ୟ କାମରେ ବିଶ୍ୱାସ କରେନାହିଁ ବୋଲି ଇସ୍ଲାମାବାଦ କହିଛି । ଏହାରି ଭିତରେ ପୁଲୱାମା ଆତଙ୍କୀ ହମଲା ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ସିଦ୍ଧୁଙ୍କୁ କପିଲ ଶର୍ମାଙ୍କ ସୋ’ରୁ ବାହାର କରିଦିଆଯାଇଛି ।

ନିଲ୍ଲଜତାର ସୀମା ଲଂଘିଲା ପାକିସ୍ତାନ । ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିଲା ପାକ୍ ମିଡିଆ । ପୁଲୱାମା ଆତଙ୍କି ହମଲାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପାକିସ୍ତାନ ଗଣମାଧ୍ୟମ ଯେଉଁଭଳି ଖବର ପରିବେଷଣ କରୁଛି, ତାହା ଆହୁରି ତତାଇ ଦେଇଛି ଦେଶବାସୀଙ୍କୁ  । ନିଲ୍ଲଜତାର ସବୁ ସୀମା ଟପି ଯାଇଛି ପାକ୍ ମିଡିଆ । ଶୁକ୍ରବାର ପାକିସ୍ତାନର ପ୍ରମୁଖ ଖବରକାଗଜ ଦ ନେସନ୍ର ପ୍ରଥମ ପୃଷ୍ଠା ଉପରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି  । ପୁଲୱାମା ହମଲାକୁ ସ୍ୱାଧୀନତା ସଂଗ୍ରାମୀଙ୍କ ଆକ୍ରମଣ ବୋଲି ବର୍ଣ୍ଣନା କରିଛି । ‘ଦ ନେସନ୍’ ଭାଷାରେ ‘ଭାରତୀୟ ଅଧିକୃତ କାଶ୍ମୀରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଆକ୍ରମଣରେ ୪୪ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ।’ ବହୁଳ ପ୍ରସାରିତ ଖବରକାଗଜ ‘ଡନ୍’ ଭାଷାରେ ‘ଆକ୍ରମଣରେ ଅଧିକୃତ କାଶ୍ମୀରର ୪୪ ଜଣ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି ।’

ସେହିପରି ଡେଲି ଟାଇମ୍ସ ଓ ଟ୍ରିବୁନ୍ ମଧ୍ୟ ଅନୁରୂପ ଭାବେ ଖବର ପରିବେଷଣ କରିଛି । ଯାହା ପୂରା ପାକିସ୍ତାନ ଓ ପାକ୍ ମିଡିଆର ପ୍ରକୃତ ସ୍ୱରୂପକୁ ପଦାରେ ପକାଇ ଦେଇଛି । ଗୋଟିଏ ପଟେ ବୀର ସନ୍ତାନକୁ ହରାଇ ଭାରତବାସୀଙ୍କ ଆଖିରୁ ରକ୍ତର ଲୁହ ବୋହୁ ଥିବା ବେଳେ ଏପରି ଆତଙ୍କୀ ହମଲାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି, ଅନ୍ୟପଟେ ପାକ୍ ମିଡିଆ ଏହାକୁ ଭିନ୍ନ ଢଙ୍ଗରେ ପରିବେଷଣ କରି ଘଟଣାକୁ ଅନ୍ୟ ମୋଡ଼ ଦେବାକୁ ଉଦ୍ୟମ କରୁଛି । ସେପଟେ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡ଼ିଛନ୍ତି ସିଦ୍ଧୁ । ବହୁ ଚର୍ଚ୍ଚିତ କମେଡି ଧାରା ବାହିକ କପିଲ ଶର୍ମା ସୋ’ରୁ ବିଦା ହୋଇଛନ୍ତି ନବଜୋତ ସିଂ ସିଦ୍ଧୁ । ପୁଲୱାମା ଆତଙ୍କୀ ହମଲା ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ସିଦ୍ଧୁଙ୍କୁ କପିଲ ଶର୍ମାଙ୍କ ସୋ’ରୁ ବାହାର କରିଦିଆଯାଇଛି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ବୀର ଯବାନଙ୍କୁ ହରାଇ ଯେଉଁଠି ସାରା ଦେଶରେ ଶୋକର ଛାୟା ଖେଳିଯାଇଛି, ସେଠି ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଚାଲିଆସିଥିଲେ କଂଗ୍ରେସ ନେତା ଜନଜୋତ ସିଂ ସିଦ୍ଧୁ । ଆଉ ତାଙ୍କର ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଦେଶ ସାରା ଜନ ଅସନ୍ତୋଷ ଦେଖାଦେଇଥିଲା । ଏପରିକି କିଛି ଲୋକ ତ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ସୋକୁ ଦେଖିବାକୁ ବର୍ଜନ ମଧ୍ୟ କରିଦେଇଛନ୍ତି । ଖାଲି ଏତିକି ନୁହେଁ ହଜାର ହଜାର ଦର୍ଶକ ନିଜ ମାସିକ ଟିଭି ପ୍ୟାକେଜରୁ ସୋନି ଟିଭିକୁ କାଟି ମଧ୍ୟ ଦେଇଛନ୍ତି । ଏହାପରେ ସୋନି ଟିଭି ପକ୍ଷରୁ ଆଜି କପିଲ ଶର୍ମା ସୋରୁ ସିଦ୍ଧୁଙ୍କୁ ବାହାର କରିଦିଆଯାଇଛି ।