ଗୁଜରାଟ ନିର୍ବାଚନ ଫଳକୁ ବିଶ୍ଲେଷଣ କରୁଛି ବିଜେଡି ! ନବୀନ କହିଲେ, ଓଡ଼ିଶାରେ ନାହିଁ ସରକାର ବିରୋଧୀ ହାୱା

17
କନକ ବ୍ୟୁରୋ : ଗୁଜରାଟ ନିର୍ବାଚନରେ ବିଜେପିର ଅତି ଅଳ୍ପ ବ୍ୟବଧାନରେ ବିଜୟ ଘଟଣାକୁ ବିଜେଡି ସତର୍କତାର ସହ ବିଶ୍ଲେଷଣ କରୁଛି । କାରଣ, ବିଜେପିର ଶକ୍ତି ବୃଦ୍ଧି ବିଜେଡି ପାଇଁ ଯେତିକି ଚିନ୍ତାର କାରଣ ତା’ଠାରୁ ବଡ ଚିନ୍ତାର କାରଣ ହେଉଛି ସରକାର ବିରୋଧୀ ହାୱା ବା ଆଂଟି ଇନକମ୍ବେନ୍ସିର ପ୍ରଭାବ । ତେବେ ବିଜେଡି ସୁପ୍ରିମୋଙ୍କ ଯୁକ୍ତି ହେଉଛି ରାଜ୍ୟ ସରକାରଙ୍କ ବିକାଶ ଓ ଜନମଙ୍ଗଳ ଯୋଜନା ଗୁଡିକ ସଫଳତାର ସହ ଚାଲୁଥିବାରୁ ଏହା ସରକାର ବିରୋଧୀ ହାୱାକୁ ସଫଳତାର ସହ ମୁକାବିଲା କରିପାରିବ । ନବୀନ ଆହୁରି ମଧ୍ୟ କହୁଛନ୍ତି, ଯେ କୌଣସି ସମୟରେ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ରହିଛି । ସେପଟେ ଗୁଜରାଟ ନିର୍ବାଚନରେ ହାରିବା ପରେ ମଧ୍ୟ ରାହୁଲ ଗାନ୍ଧିଙ୍କ ଆତ୍ମବିଶ୍ୱାସ ଆହୁରି ବଢିଯାଇଛି । କହିଛନ୍ତି, ନିର୍ବାଚନ ହାରିଛୁ କିନ୍ତୁ ଭଲ  ପ୍ରଦର୍ଶନ କରିଛୁ । ମୋଦିଙ୍କ ଗଡ଼ରେ ୮୦ ଆସନ ଜିତି ସମସ୍ତଙ୍କୁ ଚମକାଇ ଦେଇଥିବା କଂଗ୍ରେସ ଗୁଜରାଟ ବିଧାନସଭାରେ ଶକ୍ତ ବିରୋଧୀ ହୋଇ ଉଭା ହୋଇଛି । ଏପଟେ ଆରମ୍ଭ ହୋଇଯାଇଛି ମୁଖ୍ୟମନ୍ତ୍ରୀର ଅଙ୍କକଷା । ଗୁଜରାଟର ନେତୃତ୍ୱ ନେବାକୁ ୪ ଜଣ ଦାବିଦାର ଅଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ବରିଷ୍ଠ ପଟିଦାର ନେତା ପୁରୁଷୋତ୍ତମ ରୁପାଲା ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ଦୌଡରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନେଇ ଦଳ ଭିତରେ ତର୍ଜମା ଚାଲିଛି । ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏନେଇ ବିଚାରବିମର୍ଶ କରିବାକୁ ଦାୟିତ୍ୱ ଦିଆଯାଇଛି ।