ମନ୍ତ୍ରୀଙ୍କୁ ମାର୍କିଂ କରିବେ ନବୀନ : ମେ ୨୧ରୁ ବିଭାଗର କାର୍ଯ୍ୟ ନେଇ କରିବେ ସମୀକ୍ଷା

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ନବୀନ । ବିଭାଗର କାର୍ଯ୍ୟ କେତେ ଆଗେଇଛି, ନିର୍ବାଚନୀ ଇସ୍ତାହାର ପାଳନ ଦିଗରେ ବିଭାଗ କେତେ ସକ୍ଷମ ହୋଇଛି, ତାର ସମୀକ୍ଷା କରିବେ ନବୀନ । ଚତୁର୍ଥ ପାଳିର ଦ୍ୱିତୀୟ ବର୍ଷ ପୂରଣ ଆଗରୁ ମୋଦି ଷ୍ଟାଇଲକୁ ପୁଣି ଆପଣାଇଛନ୍ତି ବିଜେଡି ସୁପ୍ରିମୋ । ସବୁ ବିଭାଗୀୟ ମନ୍ତ୍ରୀଙ୍କୁ ନବୀନ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ମେ ୨୧ରୁ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ସମୀକ୍ଷା କରାଯିବ । ଏହାପୂର୍ବରୁ ନିଜ ବିଭାଗୀୟ ସ୍ତରରେ ସମୀକ୍ଷା କରିବାକୁ ନବୀନ ନିର୍ଦେଶ ଦେଇଛନ୍ତି । ବିଭାଗ ପକ୍ଷରୁ ହାସଲ କରାଯାଇଥିବା ସଫଳତା ଏବଂ ଇସ୍ତାହାରରେ ରହିଥିବା ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରୀ କରାଯିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ବାବଦରେ ୨ ସପ୍ତାହ ମଧ୍ୟରେ ଅବଗତ କରିବାକୁ ନବୀନ ନିର୍ଦେଶ ଦେଇଛନ୍ତି । ଲଗାତର ଚତୁର୍ଥ ଥର ଲାଗି କ୍ଷମତାକୁ ଆସିବା ପରେ ନବୀନ ୨୦୧୪ ମେ ୨୧ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଉ ଏହାପରେ ଗତବର୍ଷ ବି ବିଭାଗ ଗୁଡିକର ସମୀକ୍ଷା କରିଥିଲେ ନବୀନ । ଆଉ ଦ୍ୱିତୀୟ ବର୍ଷରେ ମଧ୍ୟ ନବୀନ ସମାନ ଫର୍ମୁଲା ଆପଣାଇଛନ୍ତି । ଗତଥର ନବୀନ ଦେଇଥିବା ପରାମର୍ଶ କାର୍ଯ୍ୟକାରୀ ଦିଗରେ ବିଭାଗ କେତେ ଆଗେଇଛି ଏବଂ କେଉଁ ବିଭାଗ କେତେ ଲୋକଙ୍କ ନିକଟତର ହୋଇପାରିଛି ତାକୁ ନେଇ ନବୀନ ତିଆରି କରିବେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ।