ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା : ଟ୍ୱିଟ କରି ପବିତ୍ର ଗଣପର୍ବ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଲେ ନବୀନ

323

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଣପର୍ବ ରଜର ପବିତ୍ର ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଟ୍ୱିଟ କରି ସେ ଲଖିଛନ୍ତି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ । ଏହାସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଥିବା ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ପହିଲି ରଜ ପାଇଁ ଓଡିଶାର ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ପାଗ ଟିକେ କୋହଲା ଥିବାରୁ ଏହା ରଜ ମଉଜକୁ ଦ୍ୱିଗୁଣିତ କରିଛି । କୁମାରୀ ଝିଅମାନେ ସକାଳୁ ସକାଳୁ ନୂଆ ଡ୍ରେସ ପିନ୍ଧି , ହାତରେ ମେହେନ୍ଦି ଓ ପାଦରେ ଅଳତା ଲଗାଇ ସଜ୍ଜେଇ ହୋଇ ମଉଜ କରୁଛନ୍ତି । ଚାରିଆଡୁ ଭାସି ଆସୁଛି ପୋଡପିଠା ଓ ଖିଲିପାନର ମହକ । ରଜ ପର୍ବରେ ସୁଆଦିଆ ପୋଡ ପିଠାର ପରମ୍ପରା ଖୁବ୍ ନିଆରା । ସେହିପରି ରଜରେ ଖିଲିପାନର ସ୍ୱାଦ ଓ ବାସ୍ନା ଅତି ମନଲୋଭା । କଳରେ ପାନ ଜାକି , ରଜ ଦୋଳିରେ ଝୁଲି ଝୁଲି ଝିଅମାନଙ୍କର ଗୀତ ବୋଲିବାର ଦୃଶ୍ୟ ନିଆରା ପରିବେଷ ସୃଷ୍ଟି କରିଛି । ରଜ ଗୀତ, ଦୋଳି ଓ ପୁଚି ଖେଳ ସହ ଯୁବକଙ୍କ ତାସ ଓ କବାଡି ଖେଳ ପରିବେଷକୁ ଉତ୍ସବ ମୁଖର କରିଛି ।