‘ମିନି ପାକିସ୍ତାନ’ରେ ପରିଣତ ହୋଇସାରିଛି ପଶ୍ଚିମବଙ୍ଗ : ମମତାଙ୍କୁ ଟାର୍ଗେଟ କଲା ବିଜେପି, ପୁଣି ଦିଦିଙ୍କୁ ପଠାଇବ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ଼

230

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପାଲଟିଛି ହିଂସାର ରାଜଧାନୀ । ଦିନକୁ ଦିନ ମମତାଙ୍କ ଗଡ଼ରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଲଗାତାର ବୟାନବାଜୀ ଚାଲିଛି । ନିର୍ବାଚନ ଫଳାଫଳ ଆସିବାର ଏତେ ଦିନ ପରେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି-ଟିଏମସି କର୍ମୀଙ୍କୁ ତୁ ତୁ ମେଁ ମେଁ ବନ୍ଦ ହେଉନି । ହିଂସାର ଗଡ଼ ପଶ୍ଚିମବଙ୍ଗରେ ନିତି ପ୍ରତିଦିନ ଉଭୟ ଦଳର କର୍ମୀମାନେ ପ୍ରାଣ ହରାଉଛନ୍ତି । ବଡ଼ ବଡ଼ିଆଙ୍କ କଳିରେ କର୍ମୀମାନେ ବଳିପଡ଼ୁଛନ୍ତି । ଏପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ପଶ୍ଚିମବଙ୍କକୁ ମିନି ପାକିସ୍ତାନ ସହ ତୁଳନା କରିଛନ୍ତି ବିଜେପି ନେତ୍ରୀ ।

ପୁଣି ବିଜେପି ଟାର୍ଗେଟରେ ମମତା ବାନାର୍ଜୀ । ତ୍ରିପୁରା ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଶାସନ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ମମତା ବାନାର୍ଜୀଙ୍କ ଗୁଣ୍ଡାମାନେ ପଶ୍ଚିମବଙ୍ଗକୁ ମିନି ପାକିସ୍ତାନରେ ପରିଣତ କରିସାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କ ଭୁସ୍ୱର୍ଗ ପାଲଟିଥିବା ବେଳେ ପଶ୍ଚିମବଙ୍ଗରେ ଗୁଣ୍ଡାଗର୍ଦ୍ଦିର ରାଜ୍ୟ ପାଲିଟିଛି । ଆଉ ଏଥିପାଇଁ ତ୍ରିପୁରା ମହିଳା ମୋର୍ଚ୍ଚା ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ଼ ଦିଦିଙ୍କୁ ପଠାଇବେ ବୋଲି ମନସ୍ଥ କରିଛନ୍ତି ।

ଦିଦିଙ୍କୁ ରାମଙ୍କ ନାଁରେ ଆଲର୍ଜି ରହିଛି । ରାମଙ୍କ ନାଁ ଶୁଣିଲେ ଦିଦି ମୁହଁ ଛିଞ୍ଚାଡ଼ୁଛନ୍ତି  ବୋଲି ବିଜେପି କହିଛି । ଏପରିସ୍ଥଳରେ ବିଜେପି ପକ୍ଷରୁ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ଼ ପଠାଇବା ପରେ ପୁଣି ସ୍ଥିତି ବିଗିଡ଼ିବା ଥୟ । ପୂର୍ବରୁ ମଧ୍ୟ ବିଜେପି ପକ୍ଷରୁ ମମତାଙ୍କ କାର୍ଯ୍ୟାଳୟକୁ ଜୟ ଶ୍ରୀ ରାମ ଲେଖାଥିବା ପୋଷ୍ଟକାର୍ଡ଼ ପଠାଯାଇଥିଲା । ଆଉ ସେଥିପାଇଁ ମମତା ରାଗିଯିବା ସହ ଛାଲ ଉତାରିଦେବା କଥା ମଧ୍ୟ କହିଥିଲେ । ଆଉ ସେବେଠାରୁ ଜୟ ଶ୍ରୀରାମ ନାମରେ ମମତାଙ୍କୁ ଟାର୍ଗେଟ କରିଆସୁଛି ବିଜେପି ।