ସମ୍ମାନ ମିଳିଲା ରାଜନୀତି ବଢ଼ିଲା ! ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପରେ ଓଡ଼ିଶାରେ ଶୁଭିଲା ନବୀନଙ୍କ ଜୟ ଜୟକାର । ବିଜେପି କହିଲା ପ୍ରାୟୋଜିତ

31

କନକ ବ୍ୟୁରୋ: ଆଦର୍ଶ ମୁଖ୍ୟମନ୍ତ୍ରୀର ଅସ୍ତ୍ର ଧରି ଓଡ଼ିଶା ଫେରିଛନ୍ତି ନବୀନ ପଟ୍ଟନାୟକ । ଆଉ ସ୍ୱୀକୃତିର ଏହି ନୂଆ ସଂଜ୍ଞା ଧରି ରାଜନୀତିର ନୂଆ ଲଢ଼େଇ ଲଢ଼ିବ ବିଜୁ ଜନତା ଦଳ । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଏଯେଉଁ ବିରାଟ ପଟୁଆର ବାହାରିଛି, ତାହା ବିଜେଡିର ଦମ୍ଭକୁ ଦୁଇଗୁଣିତ କରିଦେଇଛି । ୩୦ ହଜାରରୁ ଅଧିକ ନେତା ଓ କର୍ମୀ, ଆଉ ତା ଭିତରେ ସଜ୍ଜିତ୍ ସ୍ୱତନ୍ତ୍ର ଗାଡ଼ିରେ ଦଳୀୟ ସୁପ୍ରିମୋ । ନବୀନଙ୍କ ଜୟ ଜୟକାର ଭିତରେ, ଠିକ୍ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ଭଳି, ଆଦର୍ଶ ମୁଖ୍ୟମନ୍ତ୍ରୀର ବାର୍ତାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବିଜେଡିର ବ୍ୟାପକ ପ୍ରସ୍ତୁତି । ଆଉ ଏହି ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଶ୍ରେୟ ଦେବା ସହ ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ମୋଦିଙ୍କ ବିରୋଧରେ ରାଜନୈତିକ ଯୁଦ୍ଧ ଲଢ଼ିବା ପାଇଁ ଆଦର୍ଶ ମୁଖ୍ୟମନ୍ତ୍ରୀର ଏହି ସମ୍ମାନ, ବିଜେଡିକୁ ପାଇଁ ଆଣି ଦେଇଛି ଆଉ ଏକ ସୁବର୍ଣ୍ଣ ସୁଯୋଗ । ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ପାଇଁ ସରକାରୀ ବିରୋଧୀ ମତ, ଏକ ପ୍ରକାର ଅଡୁଆ ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ପଂଚାୟତ ନିର୍ବାଚନ ପରେ ବିଜେପି କ୍ରମଶଃ ଓଡ଼ିଶାରେ ଶକ୍ତିସଂଚୟ କରିବାରେ ଲାଗିଛି । ଆଉ ଠିକ୍ ଏମିତି ବେଳେ ନବୀନ ପଟ୍ଟନାୟକଙ୍କୁ ମିଳିଛି ଆଦର୍ଶ ମୁଖ୍ୟମନ୍ତ୍ରୀର ସମ୍ମାନ । ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ମୁଣ୍ଡରେ ଆଦର୍ଶର ପଗଡ଼ିକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନାହିଁ ଭାରତୀୟ ଜନତା ପାର୍ଟି । ଶିଳ୍ପ, ନିଯୁକ୍ତି, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ବିଫଳ ହେବା ପରେ ଏହି ପ୍ରାୟୋଜିତ ପୁରସ୍କାରକୁ ନେଇ ଓଡ଼ିଶା ଲୋକଙ୍କୁ ଠକିବାକୁ ଉଦ୍ୟମ ହେଉଥିବା ବିଜେପି କହିଛି । ଯାହାର ଜବାବରେ ବିଜେଡିର ମତ- ଆଗାମୀ ନିର୍ବାଚନର ପରିଣାମ କହିବ କାହା ସାଙ୍ଗରେ ଅଛନ୍ତି ଓଡ଼ିଶାବାସୀ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି, ଗୋଟି ଗୋଟି କରି ମୋଦି ଓ ବିଜେପି ସରକାରଙ୍କ ସଫଳତା ବଖାଣୁଥିବା ବେଳେ ନବୀନଙ୍କ ଗୁଣଗାନ କରିବା ପାଇଁ ବିଜେଡିକୁ ମିଳି ଯାଇଛି ଆଉ ଗୋଟିଏ ସୁଯୋଗ  । ଆଉ ରାଜନୀତିର ଏହି ପ୍ରତିଦ୍ୱନ୍ଦିତା ଭିତରେ ଦେଖିବାର କଥା କେଉଁ ସଫଳତା ଓ ପୁରସ୍କାରକୁ ଜନତାଙ୍କ ସମର୍ଥନ ମିଳୁଛି ।

ସେପଟେ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦଳ କହିଛି- ଓଡ଼ିଶା ଲୋକଙ୍କୁ ଠକି ଚାଲିଛନ୍ତି ନବୀନ । ଏହି ପୁରସ୍କାରକୁ ମହାକାଳ ଫଳ ସହିତ ତୁଳନା କରିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ । ବିଜେପିର ଉତଥାନରେ ହତାଶ ହୋଇପଡିଛନ୍ତି  ବିଜେଡି କର୍ମୀ । ତେଣୁ ପୁରସ୍କାର ଆଣି ବିଜେଡି କର୍ମୀଙ୍କୁ ଉତ୍ସାହିତ କରନ୍ତୁ ମୁଖ୍ୟମନ୍ତ୍ରୀ  । କିନ୍ତୁ ଓଡିଶାର ସ୍ୱାଭିିମାନ ସହିତ ଖେଳିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ସରକାର ଶିଳ୍ପ, ଯୁବକଙ୍କୁ ଚାକିରୀ, ଜଳସେଚନ, କୃଷି, ଶିକ୍ଷା, ସ୍ୱାସ୍ଥ୍୍ୟ ଭଳି ସବୁ କ୍ଷେତ୍ରରେ ବିଫଳ ବୋଲି ବିଜେପି କହିଛି । ନବୀନ ସରକାର ଓଡିଶା ଲୋକଙ୍କୁ ବହୁତ ଠକିିଲେଣି,  ଲୋକେ ବର୍ଜନ କଲା ବେଳେ ସେମାନେ ଭାବମୂର୍ତ୍ତୀ ବଢାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆଉ ବିଜ୍ଞାପନ ଦିଅନ୍ତୁ ନାହିଁ । କାରଣ ସେଥିରେ ଗରିବ ଲୋକଙ୍କ ଟିକସ ଟଙ୍କା ଲାଗିଛି । ମୁଖ୍ୟମନ୍ତ୍ରୀ  ସସମ୍ମାନେ ଅବସର ନେଲେ ଓଡିଶାବାସୀ ମନେ ରଖିବେ ବୋଲି ସେ କହିଛନ୍ତି ।

ଏହାର କଡା ଜବାବ ଦେଇଛି ବିଜେଡି । ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଛନ୍ତି, ଆଗକୁ ନିର୍ବାଚନର ଫଳାଫଳ କଣ ହେବ ତାହା ଜମାପଡିଗଲାଣି, ତେଣୁ ବିଜେପି ଏଭଳି ମନ୍ତବ୍ୟ ଦେଉଛି । ପୁରସ୍କାର ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ବିରୋଧୀଙ୍କ ସମାଲୋଚନା ହିଁ ସୂଚାଉଛି ଯେ ରାଜ୍ୟବାସୀଙ୍କ ପ୍ରତି ସେମାନଙ୍କ ଆନ୍ତରିକତା କେତେ ବୋଲି କହିଛନ୍ତି ଅମର ।