ନବୀନଙ୍କ ନୀରବ ନୀତି ! ମୋଦିଙ୍କୁ ଭେଟିଲେନି ପଦୁଟିଏ କହିଲେନି

41

କନକ ବ୍ୟୁରୋ : ଭୁବନେଶ୍ୱରରେ ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ଓ ମେଗା ରୋଡ୍ ସୋ ସାରି ଦିଲ୍ଲୀ ଫେରିଯାଇଛନ୍ତି ମୋଦି । ଏପଟେ ବିଜୁ ଶ୍ରାଦ୍ଧବାର୍ଷିକୀରେ ଦମ୍ ଦେଖାଇଛି ବିଜେଡି । ରାଜଧାନୀରେ ବିଶାଳ ରାଲିର ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ମୋଦିଙ୍କ ରୋଡ ସୋ ପରେ ବିଜୁ ଶ୍ରାଦ୍ଧବାର୍ଷିକୀରେ ବିଜେଡିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

କିନ୍ତୁ ମୋଦିଙ୍କ ବିଷୟରେ ପ୍ରଶ୍ନ ପଚାରିଲେ ନବୀନ ହୋଇଯାଉଛନ୍ତି ନୀରବ । କୁହାଯାଉଛି, ମୋଦିଙ୍କ ବିରୋଧରେ ଇଏ ନବୀନଙ୍କ ନୂଆ ଫର୍ମୁଲା । ବିରୋଧ କଲେ ଅଧିକ ପ୍ରଚାର ହେଉଛି ତେଣୁ ନୀରବ ରହିବା ନେଇ ନବୀନଙ୍କ ଏହା ସୁଚିନ୍ତିତ ରଣନୀତି ବୋଲି ଚର୍ଚା ହେଉଛି ।

ଗୋଟିଏ ପଟେ ବିଜେପି ମୋଦି ହାୱାକୁ ନେଇ ଓଡିଶା ରାଜନୀତିରେ ହଲଚଲ କରିବାକୁ ପ୍ରୟାସ କରୁଛି । ମୋଦିଙ୍କ ରୋଡ ସୋରେ ମଧ୍ୟ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଛି । କିନ୍ତୁ ଏପଟେ ଓଡିଶା ରାଜନୀତିର ପଶାପାଲିରେ ନବୀନ ହେଉଛନ୍ତି ସବୁଠାରୁ ପୋଖତ ଖେଳାଳି । କୁହାଯାଉଛି, ବିଜେପି କାର୍ଯ୍ୟକ୍ରମକୁ ନେଇ ନବୀନ ନୀରବ ରହିବା ଏକ ସୁଚିନ୍ତିତ ରଣନୀତି । କାରଣ ବିରୋଧ କଲେ ବି ପ୍ରଚାର ବଢିବ ।

ନିକଟରେ ଉତର ପ୍ରଦେଶ ଓ ଉତରାଖଣ୍ଡରେ ସରକାର ଗଢିଛି ବିଜେପି । ଆଂଚଳିକ ଦଳ ଏସପି, ବିଏସପିକୁ ହଟାଇ ରାଜ୍ୟରେ ସତା ଦଖଲ କରିଛି । ହେଲେ ପଂଜାବ, ଦିଲ୍ଲୀ ଏବଂ ବିହାରରେ ଦଳର ରଣନୀତି ଫେଲ୍ ମାରିଛି । ଏଭଳି ସ୍ଥିତିରେ ବିଜେପିର ଆଖି ଏବେ ଓଡିଶା ଓ ପଶ୍ଚିମବଂଗ ଉପରେ । ଯେଉଁଠି ବର୍ଷ ବର୍ଷ ଧରି ଶାସନ କ୍ଷମତାରେ ଅଛନ୍ତି ଦୁଇ ଲୋକପ୍ରିୟ ଆଂଚଳିକ ଦଳ ।

ତେବେ ମୋଦିଙ୍କ ବିରୋଧରେ ନବୀନଙ୍କ ନୀରବ ଫର୍ମୁଲା ଦଳକୁ କେତେ ଲାଭ ଦେବ ତାହା ସମୟ କହିବ ।