ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନ ! ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପୁଣି ଝାଡୁ ଧରି ନିଜ ହାତରେ ଅଳିଆ ଉଠାଇଲେ ମୋଦି ।

59

କନକ ବ୍ୟୁରୋ : ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନର ଶୁଭାରମ୍ଭ କରିବା ସହ ଭାରତବାସୀଙ୍କୁ ସ୍ୱଚ୍ଛତାର ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜେ ହାତରେ ଝାଡୁ ଧରି ଅଳିଆ ସଫା କରିଛନ୍ତି ମୋଦି । ଦିଲ୍ଲୀର ପାହାଡଗଞ୍ଜରେ ଥିବା ବାବା ସାହେବ ଆମ୍ବେଦକର ସ୍କୁଲରେ ମୋଦି ଝାଡୁ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସ୍ୱଚ୍ଛତା ହିଁ ସେବା ଅଭିଯାନ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଝାଡୁ । ଝାଡୁରେ ସଫା କରିବା ସହିତ ନିଜ ହାତରେ ଅଳିଆ ଉଠାଉଛନ୍ତି ମୋଦି । ଝାଡୁରେ ପରିଷ୍କାର କରିବାର ଏ ଘଟଣା ହେଉଛି ପାହାଡଗଂଜରେ ଥିବା ବାବା ସାହେବ ଆମ୍ବେଦକର ସ୍କୁଲର । ଆଜିଠାରୁ ସାରାଦେଶରେ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତକୁ ସଫା ରଖିବା ପାଇଁ ଏହି ୧୫ ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଦେଶବାସୀଙ୍କୁ ସ୍ୱଚ୍ଛତାର ବାର୍ତା ଦେବା ସହ ସ୍ୱଚ୍ଛତା ସେବା ହିଁ ଈଶ୍ୱର ସେବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱଚ୍ଛ ଭାରତ ନେଇ ମହାତ୍ମା ଗାନ୍ଧି ଦେଖିଥିବା ସ୍ୱପ୍ନକୁ ସାକାର କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି କହିଛନ୍ତି ମୋଦି ।

swachhata-hi-seva-movement

ପ୍ରଧାନମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ସାମିଲ ହୋଇଥିଲେ ରତନ ଟାଟା ଏବଂ ବିଗ୍ ବି ଅମିତାଭ ବଚ୍ଚନ । ସ୍ୱଚ୍ଛତା ହିଁ ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ରତନ ଟାଟା । ପ୍ରତ୍ୟକ ଭାରତୀୟଙ୍କ ଏହା ଏକ ସ୍ୱପ୍ନ ହେବା ଦରକାର ଏବଂ ଏହି ଅଭିଯାନ ଦ୍ୱାରା ଆମେ ରୋଗମୁକ୍ତ ହୋଇପାରିବା ବୋଲି କହିଛନ୍ତି ରତନ ଟାଟା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତାଭ ବଚ୍ଚନଙ୍କ ସହ ମଧ୍ୟ କଥା ହୋଇଥିଲେ । ସ୍ୱଚ୍ଛତାର ଅଭିଯାନରେ ସେ ସାମିଲ ଥିଲେ ଏବଂ ଆଗକୁ ମଧ୍ୟ ଏହି କାମ ଜାରି ରହିବ ବୋଲି କହିଛନ୍ତି ଅମିତାଭ ବଚ୍ଚନ ।

ମୋଦିଙ୍କ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ ଅନେକ କେନ୍ଦ୍ରମନ୍ତ୍ରୀ । ହରିଆଣାର ଫରିଦାବାଦରେ ରାଜନାଥ ସିଂହ ଝାଡୁ ମାରିଥିବା ବେଳେ ପାଟଣାରେ ରବିଶଙ୍କର ପ୍ରସାଦ ଏବଂ  ଦିଲ୍ଲୀରେ ସ୍ମୃତି ଇରାନୀ ଝାଡୁ ମାରିଥିଲେ । ଏହି କିଛି ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ତାର ଲକ୍ଷ୍ୟ ହାସଲ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ୧୫ ଦିନିଆ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।