ନଳିନୀ ଆସିଲେ ନଛୋଡବନ୍ଧା ନଗେନ୍ଦ୍ର ପ୍ରଧାନ । କହିଲେ, ୨୦୧୯ରେ କେବଳ ଲୋକସଭା ଆସନରୁ ଲଢିବାକୁ ଇଚ୍ଛୁକ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରୋକଠୋକ ଜଣାଇଦେଇଛନ୍ତି ସମ୍ବଲପୁର ସାଂସଦ

240

କନକ ବ୍ୟୁରୋ: ବିଜେଡିରେ ନଳିନୀ ପ୍ରଧାନ ଯୋଗ ଦେବା ପରେ ରୋଚକ ହୋଇଛି ସମ୍ବଲପୁର ରାଜନୀତି । ନଳିନୀ ଆସିବା ପରେ ନଛୋଡବନ୍ଧା ହୋଇପଡିଛନ୍ତି ନଗେନ୍ଦ୍ର ପ୍ରଧାନ । ନଗେନ୍ଦ୍ର କହିଛନ୍ତି କି , ୨୦୧୯ରେ କେବଳ ଲୋକସଭା ଆସନରୁ ଲଢିବାକୁ ସେ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ରୋକଠୋକ ଜଣାଇଦେଇଛନ୍ତି ସମ୍ବଲପୁର ସାଂସଦ । ତେବେ ନଳିନୀଙ୍କ ମିଶ୍ରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ଆସିବା ପରେ ବିଜେଡିକୁ ବଳ ମିଳିଛି ।

ନଗେନ୍ଦ୍ରଙ୍କ କହିବା ମୁତାବକ, ପ୍ରତ୍ୟେକ ଦଳ ଚାହାଁନ୍ତି କି ତାଙ୍କ ଦଳ ଶକ୍ତିଶାଳୀ ହେଉ । ଦଳରେ ନୂଆ ଲୋକ ସାମିଲ ହେବା ଦ୍ୱାରା ଦଳ ସମୃଦ୍ଧିଶାଳୀ ହୋଇଥାଏ, ଯାହାକି ସ୍ୱାଗତ ଯୋଗ୍ୟ । ମୁଁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଯାହାକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବହୁ ପୂର୍ବରୁ ଅବଗତ କରାଇଛି । ତେବେ ସୁପ୍ରିମୋ ଯାହା ନିଷ୍ପତି ନେବେ ମୁଁ ତାକୁ ନିଶ୍ଚୟ ଗ୍ରହଣ କରିବି । ମୁଁ ଜଣେ ଦଳର ଶୃଂଖଳିତ କର୍ମୀ ଏବଂ ନଳିନୀ ବାବୁୁ ଜଣେ ବ୍ୟୁରୋକ୍ରାଟ୍ । ମୁଁ ଜଣେ ମଧ୍ୟବିତ ପରିବାରର ପିଲା । ସଂଘର୍ଷ କଣ ମୁଁ ଜାଣିଛି । ଦଳର ସଭାପତିଙ୍କ ନିଷ୍ପତି ଉପରେ ମୋର ପୂରା ବିଶ୍ୱାସ ରହିଛି , ସେ ଯାହା ନିଷ୍ପତି ନେବେ ତାକୁ ମୁଁ ନିଶ୍ଚୟ ଗ୍ରହଣ କରିବି ବୋଲି କହିଛନ୍ତି ନଗେନ୍ଦ୍ର ପ୍ରଧାନ ।

ଗତକାଲି ପ୍ରଶାସକରୁ ପଲିଟିକ୍ସରେ ପାଦ ଦେଇଥିବା ନଳିନୀ ପ୍ରଧାନଙ୍କୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ତେବେ ନଳିନୀଙ୍କ ଯୋଗଦାନ ବିଜେଡିକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେପଟେ ସମ୍ବଲପୁର ଲୋକସଭା କିମ୍ବା ଏହା ଅନ୍ତର୍ଗତ ବିଧାନସଭା ଆସନରୁ ନଳିନୀଙ୍କୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ନଗେନ୍ଦ୍ରଙ୍କ ଏଭଳି ବୟାନ ସମ୍ବଲପୁର ରାଜନୀତିକୁ ସରଗରମ କରିଛି ।