୩ ଏପ୍ରିଲରେ ୩ ଏନଏସିର ନିର୍ବାଚନ । ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ଉପରେ ନଜର ।

31

ନୂଆପଡା, ହିନ୍ଦୋଳ ଓ ଅତାବିତା ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୩ ମାର୍ଚ୍ଚରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ୩ ଏପ୍ରିଲରେ ଉଚ୍ଛଦାନ ହେବ । ଏହି ୩ଟି ଏନଏସିରୁ ମୋଟ୍ ୪୨ ଜଣ କାଉନସିଲର ନିର୍ବାଚିତ ହେବେ । ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ୯ ମାର୍ଚ୍ଚରେ ୨୦୧୮ରେ ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ ।୧୩ ମାର୍ଚ୍ଚରୁ ୧୭ ମାର୍ଚ୍ଚ ମଧ୍ୟରେ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୯ ମାର୍ଚ୍ଚରେ ନାମାଙ୍କନ ଯାଂଚ, ୨୦ ମାର୍ଚ୍ଚରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୨ ମର୍ଚ୍ଚ ନାମାଙ୍କ ପ୍ରତ୍ୟାହାରର ଶେଷ ଦିନ ରହିଛି ଆଉ ସେହିଦିନ ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ।

୧୨ ଏପ୍ରିଲରେ ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ଅଧ୍ୟକ୍ଷ ଏବଂ ୩୦ ଏପ୍ରିଲରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅତାବିତା ଏନଏସିରେ ମୋଟ ୧୨ଟି ୱାର୍ଡ ଥିବା ବେଳେ ହିନ୍ଦୋଳରେ ୧୬ଟି, ନୂଆପଡା ଏନଏସିରେ ୧୪ଟି ୱାର୍ଡ ରହିଛି । ନିର୍ବାଚନ ପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁହୋଇଛି । ପ୍ରଚାରରେ ପ୍ରାର୍ଥୀ ସର୍ବାଧିକ ୩୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଏହି ତିନୋଟି ଏନଏସି ପାଇଁ ୨୦୧୩ରେ ହୋଇଥିବା ନିର୍ବାଚନରେ ଶାସକ ବିଜେଡିକୁ ବଡ ଝଟକା ଲାଗିଥିଲା । ହିନ୍ଦୋଳ ଏନଏସିର ୧୬ ୱାର୍ଡରେ ବିଜେଡି ମାତ୍ର ୨ଟିରେ ଜିତିବାକୁ ସକ୍ଷମ ହୋଇଥିଲା । କଂଗ୍ରେସ ୭ଟି ଆସନ ଦଖଲ କରିଥିବା ବେଳେ ୬ ଜଣ ସ୍ୱାଧୀନ ପ୍ର।।ର୍ଥୀଙ୍କ ସମର୍ଥନ ସେହି ସମୟରେ କଂଗ୍ରେସ ଦଳ ହାସଲ କରିଥିଲା । ଯାହା ସେହି ସମୟରେ କଂଗ୍ରେସ ପାଇଁ ରାଜ୍ୟରେ ଏକ ଅନୁକୁଳ ବାତାବରଣ ତିଆରି କରିଥିଲା । ହିନ୍ଦୋଳରେ ମାତ୍ର ଗୋଟିଏ ଆସନରେ ବାଜିମାତ କରିଥିଲା ବିଜେପି ।

ନୂଆପଡାର ୧୪ ୱାର୍ଡ ଭିତରୁ ଶାସକ ବିଜେଡି ମାତ୍ର ୪ଟିରେ ବାଜିମାତ୍ କରିଥିଲା । କଂଗ୍ରେସ ୭ ଓ ବିଜେପି ୩ଟିରେ ବିଜୟ ଧ୍ୱଜା ଉଡାଇଥିଲା । ଅତାବିରାର ୧୨ଟି ୱାର୍ଡରୁ ଉଭୟ କଂଗ୍ରେସ ଓ ବିଜେଡି ସମାନ ସଂଖ୍ୟକ ୬ଟି ଲେଖାଏଁ ୱାର୍ଡ ଦଖଲ କରିଥିଲେ । ଏହି ତିନୋଟି ଏନଏସିରେ ସେହି ସମୟରେ କଂଗ୍ରେସ ନିଜର ଦମ୍ ଦେଖାଇଥିଲା । ଯାହାର ଏକ ବଡ ଶ୍ରେୟ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲା । ସେହି ସମୟରେ ନିରଂଜନ ନିଜର ସାଂଗଠନିକ ଦକ୍ଷତାକୁ ପୁଣି ଥରେ ପ୍ରମାଣିତ କରିଥିଲେ ।

ତେବେ ବର୍ତ୍ତମାନ ପରିସ୍ଥିତିରେ ଏହି ତିନୋଟି ଯାକ ଏନଏସିରେ କଂଗ୍ରେସର ପ୍ରଦର୍ଶନ କେଉଁଭଳି ରହୁଛି, ତା’ଉପରେ ନଜର ରହିବ । ନିକଟରେ ସରିଥିବା ବିଜେପୁର ଉପନିର୍ବାଚନରେ କଂଗ୍ରେସ ନିଜ ଗଡ ବଂଚାଇବାରେ ବ୍ୟର୍ଥ ହୋଇଥିଲା, ଏପରିକି ପ୍ରାର୍ଥୀ ନିଜର ଅମାନତ୍ ହରାଇଥିଲେ । ତେବେ ଏହି ତିନୋଟି ଯାକ ଏନଏସି କାହା ଦଖଲକୁ ଯାଉଛି, ତାହା ବଡ ପ୍ରଶ୍ନ । ବିଜେପି ନିଜର ସାମର୍ଥ୍ୟ ବଢାଇ ଏକ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଇ ପାରୁଛି କି ନାହିଁ, କଂଗ୍ରେସ ନିଜର ଦମ୍ ଦେଖାଇବାରେ ସକ୍ଷମ ହେଉଛି କି ନାହିଁ, ଶାସକ ବିଜେଡି ୨୦୧୯ ପୂର୍ବରୁ ପୁଣି ବିଜୟ ବାନା ଉଡାଉଛି କି ନାହିଁ, ତା’ଉପରେ ନଜର ।