ମାନବିକତାର ପରିଚୟ ଦେଲେ ଜିଲ୍ଲାପାଳ । ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଲେ ନବରଙ୍ଗପୁର କଲେକ୍ଟର ଅଜିତ ମିଶ୍ର

266

କନକ ବ୍ୟୁରୋ: ମାନବିକତା ଦେଖାଇଲେ ଜିଲ୍ଲାପାଳ । ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାସ୍ତା କଡରୁ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରି ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ ମିଶ୍ର ।

ଗତକାଲି ମାସର ପ୍ରଥମ ସୋମବାର ହୋଇଥିବାରୁ ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଶୁଣାଣି ପରେ ଅପରାହ୍ନ ସମୟରେ ସଦର ବ୍ଲକ ଅନ୍ତର୍ଗତ ସାନମସିଗାଁ ପଞ୍ଚାୟତ କୁ ଜନଶୁଣାଣୀ ପାଇଁ ଯାଉଥିଲେ । ଏହି ସମୟରେ କୋଡ଼ିଗାଁ ଓ ସାନ ମସିଗାଁ ଛକ ନିକଟରେ ଏକ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ ଘଟଣାଟି ଜିଲ୍ଲାପାଳଙ୍କ ନଜରକୁ ଆସିବାରୁ ତୁରନ୍ତ ଜିଲ୍ଲାପାଳ ଗାଡି ଅଟକାଇ ଯୁବକ ଜଣକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ।

ଏପରିକି ସବୁ ଜରୁରୀ କାମକୁ ବାଦ୍ ଦେଇ ନିଜେ ମେଡିକାଲରେ ଉପସ୍ଥିତ ରହି ତାଙ୍କ ଚିକିତ୍ସା କରାଇଥିଲେ । ପରେ ସେ କାମ ସାରି ବ୍ୟକ୍ତି ଜଣଙ୍କ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ଆବଶ୍ୟକ ପଡିଲେ ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ ମିଶ୍ର । ତେବେ ସଠିକ ସମୟରେ ଆହତଙ୍କୁ ମେଡିକାଲ ନେବା ଦ୍ୱାରା ତାଙ୍କ ଜୀବନ ବଞ୍ଚିଯାଇଛି । ଜିଲ୍ଲାପାଳଙ୍କ ଏହି ମାନବିକତାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ଏବଂ ଜିଲ୍ଲାବାସୀ ଜିଲ୍ଲାପାଳଙ୍କ ଉକ୍ତ କାର୍ଯ୍ୟକୁ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି ।